ନୂଆଦିଲ୍ଲୀ: ସୁନୀତା ୱିଲମ୍ସଙ୍କୁ ଦିଆଯାଉ ଭାରତ ରତ୍ନ । ଏପରି ଦାବି କରିଛନ୍ତି ଟିଏମସି ସାଂସଦ ମୋହମ୍ମଦ ନଦୀମୁଲ ହକ। ସେ ଭରତୀୟ ବଂଶଦ୍ଭବ ସୁନୀତା ଉଇଲିୟମ୍ସଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି। ସୁନୀତା, ଯିଏ ମହାକାଶରେ ୯ ମାସରୁ ଅଧିକ ସମୟ ଧରି ରହି ଗତ ୧୮ ମାର୍ଚ୍ଚରେ ପୃଥିବୀକୁ ସଫଳତାର ସହ ଫେରିଛନ୍ତି। ତାଙ୍କ ପାଇଁ ଏହି ଦାବି ରାଜ୍ୟସଭାରେ ଉଠିବା ପରେ ରାଜନୀତିରେ ନୂଆ ଚର୍ତ୍ତା ଆରମ୍ଭ ହୋଇଛି।
ସଂଦନରେ ମୋହମ୍ମଦ ନଦୀମୁଲ କହିଛନ୍ତି ଯେ, ସୁନୀତାଙ୍କ ସଫଳତା ଭାରତର ଗୌରବ ବଢ଼ାଇଛି ଏବଂ ତାଙ୍କୁ ଭାରତ ରତ୍ନ ଦେବା ହେଉଛି ଏକ ଉପଯୁକ୍ତ ସମ୍ମାନ। ସେ ଆହୁରି କହିଛନ୍ତି, “ସୁନୀତାଙ୍କ ସଫଳତା ଭାରତୀୟ ଶକ୍ତିକୁ ପ୍ରତିଫଳିତ କରୁଛି। ତାଙ୍କ ଗୁଜରାଟୀ ଜଡ଼ ଏବଂ ଇସ୍ରୋ ପାଇଁ ଗର୍ବ ଆଣିଥିବା ଏହି ମହିଳାଙ୍କୁ ସର୍ବୋଚ୍ଚ ସମ୍ମାନ ଦିଆଯାଉ।” ଏହା ସହ ସେ କହିଛନ୍ତି ଯେ, ୨୦୦୭ରେ ସୁନୀତାଙ୍କୁ ପଦ୍ମ ଭୂଷଣ ମିଳିଥିଲା, କିନ୍ତୁ ତତ୍କାଳୀନ ଗୁଜରାଟ ସରକାର ତାଙ୍କୁ ଯଥାଯୋଗ୍ୟ ସମ୍ମାନ ଦେଇ ପାରିନଥିଲେ।
ତେବେ, ଏହି ଦାବି ସହ ସାଂସଦ ହକଙ୍କ ଭାଷଣରେ ଗୁଜରାଟର ଜଣେ ଦିବଂଗତ ବିଜେପି ନେତାଙ୍କ ସମ୍ପର୍କରେ କରାଯାଇଥିବା ଟିପ୍ପଣୀ ବିବାଦକୁ ଜନ୍ମ ଦେଇଛି। ଏହାକୁ ନେଇ ବିଜେପି ସାଂସଦମାନେ ତୀବ୍ର ପ୍ରତିବାଦ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଜବାବରେ କହିଛନ୍ତି, “ସୁନୀତା ଉଇଲିୟମ୍ସଙ୍କ ପାଇଁ ଭାରତ ରତ୍ନ ମାଗିବା ଏକ କଥା, କିନ୍ତୁ ଏହାକୁ ଅନାବଶ୍ୟକ ବିବାଦ ଓ ଅପ୍ରାସଙ୍ଗିକ ପ୍ରସଙ୍ଗ ସହ ଯୋଡ଼ିବା ଅନୁଚିତ। ଯେଉଁମାନେ ଆଉ ଆମ ମଧ୍ୟରେ ନାହାନ୍ତି, ତାଙ୍କୁ ଏଥିରେ ଟାଣି ଆଣିବା ଦୁର୍ଭାଗ୍ୟଜନକ।” ଏହାପରେ ଉପସଭାପତି ହରିବଂଶଙ୍କ ନିର୍ଦ୍ଦେଶରେ ହକଙ୍କ ଭାଷଣରୁ ଅପ୍ରାସଙ୍ଗିକ ଭାଷଣକୁ ହଟାଇ ଦିଆଯାଇଥିଲା।
Comments are closed.