Latest Odisha News

BREAKING NEWS

ଏନସିପିଆଇରେ ମିଶିଲେ ଟିଏମସିର ବିଦ୍ରୋହୀ ସାଂସଦ, କାକୋଲି ଘୋଷ ଦସ୍ତିଦାର ହେଲେ ସଂସଦୀୟ ଦଳର ଅଧ୍ୟକ୍ଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଆନୁଷ୍ଠାନିକ ଭାବେ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (ଏନସିପିଆଇ) ରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପରେ ଦଳର ବରିଷ୍ଠ ନେତ୍ରୀ କାକୋଲି ଘୋଷ ଦସ୍ତିଦାରଙ୍କୁ ସଂସଦରେ ଏହି ଗୋଷ୍ଠୀର ସଂସଦୀୟ ଦଳ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏହି ବଡ଼ ରାଜନୈତିକ ସଂକଟ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଯାଇଛି।

 

ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବା ପରେ କାକୋଲି ଘୋଷ ଦସ୍ତିଦାର କହିଛନ୍ତି ଯେ ଟିଏମସିର ଦୁଇ ତୃତୀୟାଂଶ ସାଂସଦ ସେମାନଙ୍କ ସହ ଅଛନ୍ତି। ସେଥିପାଇଁ ସଂସଦରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। ସେମାନେ ଏନସିପିଆଇ ମାଧ୍ୟମରେ କେନ୍ଦ୍ରର ଏନଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଦଳ ବଦଳ ବିରୋଧୀ ଆଇନରୁ ବର୍ତ୍ତିବା ପାଇଁ ବିଦ୍ରୋହୀ ଗୋଷ୍ଠୀ ଏହି ରଣନୀତି ଆପଣାଇଥିବା ଜଣାପଡ଼ିଛି।

 

ସେପଟେ ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ସେମାନେ ଏହି ନୂଆ ଦଳ ଜରିଆରେ ଆଗାମୀ ଦିନରେ ଅସଲି ଟିଏମସିର ଦାବି କରିବେ। ଆବଶ୍ୟକ ପଡ଼ିଲେ ଦଳୀୟ ଚିହ୍ନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଅପରପକ୍ଷରେ ମମତା ବାନାର୍ଜୀଙ୍କ ଶିବିର ଏହି ପଦକ୍ଷେପକୁ ହାସ୍ୟାସ୍ପଦ ବୋଲି କହିବା ସହ ସାଂସଦମାନଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛି। ଏହି ଘଟଣା ଏବେ ଜାତୀୟ ରାଜନୀତିରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି।

Leave A Reply

Your email address will not be published.