Latest Odisha News

BREAKING NEWS

ମନେ ପଡନ୍ତି ଅକ୍ଷୟ: ଆଜି ଖୋକା ଭାଇଙ୍କ ଜନ୍ମ ଜୟନ୍ତୀ, ଅଭୂଲା ମନଛୁଆଁ ସଙ୍ଗୀତକୁ ଆଜି ବି ଝୁରୁଛନ୍ତି ଦର୍ଶକ

କଟକ: ଓଡିଆ ସଙ୍ଗୀତ ଜଗତର ବେତାଜ ବାଦଶାହ । ଓଡିଆ ଆଧୁନିକ ସୁଗମ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ସେ  । ହଁ ଆଜ୍ଞା ଆମେ କହୁଛୁ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଥା । ଖୋକା ଭାଇ ନାମରେ ସେ ସମସ୍ତଙ୍କ ନିକଟରେ ଜଣାଶୁଣା  । ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ  । ୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ କଟକରେ  ଅକ୍ଷୟ ମହାନ୍ତିଙ୍କର ଜନ୍ମ । ଆକାଶ ବାଣୀ କଟକ କେନ୍ଦ୍ରରୁ ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା। ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇଏସସି ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ସେ ବିଏ ପାସ୍ କରିଥିଲେ  । ପରେ ଆଇନ ଶିକ୍ଷା ମଧ୍ୟ କରିଥିଲେ  । କଟକ ଆକାଶବାଣୀରେ ୭ ବର୍ଷ ସେ ଚାକିରୀ କରିଥିଲେ ।  ପରେ ସେ ଚାକିରୀ ଛାଡି ନିଜ ପୁରା ସମୟ ସଙ୍ଗୀତ ପାଇଁ ଉତ୍ସ୍ୟର୍ଗୀକୃତ କରିଥିଲେ ।

ଖୋକା ଭାଇ ଏକାଧାରାରେ ଥିଲେ ଜଣେ ଗାୟକ, ଗୀତିକାର, ସଂଙ୍ଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ। ଏପରି ଲାଗେ ସଙ୍ଗୀତ ପାଇଁ ଯେପରି ତାଙ୍କର ଜନ୍ମ  । ଯେଉଁଠି ବସୁଥିଲେ ଗୀତ ଗାଉଥିଲେ । ୭୫ଟି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ୯୨ଟି ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି । ଖୋକା ଭାଇ ଙ୍କ ଗୀତ ସବୁବେଳେ ନିଆରା  । ତାଙ୍କ ଗାୟକୀରେ ଥାଏ ନିଆରା ଅନ୍ଦାଜ୍  । ଓଡିଶା କଥା, ଓଡିଆଙ୍କ ଚାଲିଚଳଣୀ , ଲୋକକଥା , ଗାଁ ମାଟିର ମହକକୁ ସର୍ବଦା ସେ ତାଙ୍କ ସଙ୍ଗୀତରେ ସ୍ଥାନ ଦିଅନ୍ତି  । ଆଜି ବି ରେଡିଓରୁ ‘ପୁଣ୍ୟର ନଦୀ ତୀରେ’ ଗୀତ ଶୁଣିଲେ ଶ୍ରୋତା ମୁଗ୍ଧ ହୋଇଯାନ୍ତି  ।

ଆଜି ବି ଓଡ଼ିଆ ସଙ୍ଗୀତପ୍ରେମୀଙ୍କ କଣ୍ଠରୁ ଗୁଣୁଗୁଣୁ ହୋଇ ଝରିଆସେ ଯାରେ, ଭାସି ଭାସି ଯା’… ଯା..ଯାବର, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା। ଆଜି ଅକ୍ଷୟ ମହାନ୍ତି ନାହାନ୍ତି ସତ , ହେଲେ ଆଜି ବି ପ୍ରତିଟି ଓଡିଆଙ୍କ ମନରେ ସ୍ମୃତି ହୋଇରହିଛନ୍ତି । ସେ ଥିଲେ ଅକ୍ଷୟ..ଏମିତି ଅକ୍ଷୟ ହୋଇ ସବୁଦିନ ରହିଥିବେ। ଆଜି ତାଙ୍କ ଜୟନ୍ତୀରେ ଖୋକା ଭାଇଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।

 

Comments are closed.