Latest Odisha News

BREAKING NEWS

ଆଜି ବନକ ଲାଗି ନୀତି, କାଲି ଭକ୍ତ ଦେଖିବେ କଳା ଶ୍ରୀମୁଖ

ପୁରୀ: ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଆଜି ବନକ ଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ୧୫ ଦିନ ପରେ ଭକ୍ତ ଦେଖିବେ କଳା ଶ୍ରୀମୁଖ । ପରଦିନ ହେବ ରଥଯାତ୍ରା । ଏନେଇ ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୮ଟା ରୁ ୯ଟା ପର୍ଯ୍ୟନ୍ତ ନବଯୌବନ ବେଶ ପାଇଁ ଟିକେଟ ଦର୍ଶନ ଓ ୯ଟା ଠାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି । ଦିନ ୧୨ଟାରେ ହେବ ନେତ୍ରୋତ୍ସବ ।

ନବଯୌବନ ବେଶ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ଦେଇ ଟିକେଟ ଧାରୀ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ପାରମାଣିକ ଦର୍ଶନ ପାଇଁ ୩ ହଜାର ଟିକେଟ ବନ୍ଦୋବସ୍ତ କରାଯାଇଛି । ସେପଟେ ଆଜି ସୁଦ୍ଧା ଶେଷ ହେବ ରଥରେ ଠେକରା ବାଡ ସଂଯୋଗ କାର୍ଯ୍ୟ, ପ୍ରଭା ସଂଯୋଗ କାର୍ଯ୍ୟ ଓ କନା ମଣ୍ଡଣି । ଆସନ୍ତାକାଲି ଅପରାହ୍ନ ୪ଟା ୧୦ରେ ରଥ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ପ୍ରଥମେ ନନ୍ଦିଘୋଷ ପରେ ଦେବଦଳନ ଓ ଶେଷରେ ତାଳଧ୍ଵଜ ରଥ ସିଂହଦ୍ୱାରକୁ ଯିବ । ସେଠାରେ ମହାପ୍ରଭୁଙ୍କ ଆସ୍ଥାନ ଅର୍ଥାତ ଚକା ସଂଯୋଗ ସହ ଭୋଇ ସେବକଙ୍କ ନବମ ହରିବୋଲରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ ।

ଅନ୍ୟପଟେ ରଥଯାତ୍ରା ପାଇଁ ସବୁ ବିଭାଗ ସାରିଛନ୍ତି ଚୂଡାନ୍ତ ପ୍ରସ୍ତୁତି । ରେଳବାଇର ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କୱାଲ । ଟେକ୍ନୋଲୋଜି ବେସଡ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଚଳିତ ଥର ଫୋକସ୍ କରିଛି ରେଳବାଇ । ଫେସ୍ ରିଡ଼ିଂ ସିଷ୍ଟମ, ଆଣ୍ଟି କ୍ରାଇମ୍ ୟୁନିଟ୍ ସହ ୨୫୦ ସିସିଟିଭି ଫିଡ୍ ମାଧ୍ୟମରେ ରେଳବାଇ ଯାତ୍ରୀ ସୁରକ୍ଷା ମ୍ୟାନେଜ କରିବ । ଫାୟାର ଆମ୍ବୁଲାନ୍ସ ସହ ପ୍ରସ୍ତୁତ ରହିବ ୨ଟି ଷ୍ଟଲ୍ ରେ ୨୪ ଘଣ୍ଟିଆ ଡାକ୍ତରୀ ସେବା, ନିୟମିତ ଟ୍ରେନ ବ୍ୟତୀତ ଗଡ଼ିବ ୩୬୫ ଅତିରିକ୍ତ ଟ୍ରେନ ।

୧୯ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଜଣେ ଏସପି ପାହ୍ୟା ଓ ୩ଜଣ ଅତିରିକ୍ତ ଏସପି ପାହ୍ୟା ଅଧିକାରୀ ରହିବେ । ୬ଟି ହେଲ୍ପ ଡେସ୍କ କାର୍ଯ୍ୟ କରିବ । ସେପଟେ ରଥଟଣାକୁ ନେଇ ପୋଲିସ ବିଭାଗ କରିଛି ମକ୍ ଡ୍ରିଲ୍ । ତିନି ରଥକୁ ଟଣା ଯିବାର ପ୍ରକ୍ରିୟା, ବ୍ୟବସ୍ଥା ଓ କର୍ଡନର ସଠିକ୍ ସୁପରିଚାଳନା ବିଷୟରେ ଫୋର୍ସ ଙ୍କୁ ଅବଗତ କରାଯିବା ସହ ତିନିଟି ଜିପ୍ କୁ ତିନି ରଥ ସଦୃଶ ଯଥା ତାଳଧ୍ଵଜ, ନନ୍ଦିଘୋଷ, ଦେବଦଳନ ଭାବେ ପ୍ରତୀକାତ୍ମକ ରଥ କରି ଟଣାଯାଇଛି । ରଥ ଟଣା ସମୟରେ ଆଗରେ କ୍ଲିଅରାନ୍ସ ଟିମ୍, ପରେ ଡ୍ରାଗିଂ ଟିମ୍, ପରେ କର୍ଡନ୍ ଟିମ୍, ଏଇଭଳି ପର୍ଯ୍ୟାୟ କ୍ରମେ ରଥ ଚାରିପାଖେ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ରଥ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ, ଏଡିଜି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥ ଉପରୁ ଦିଆଯାଉଥିବା କମାଣ୍ଡ ଓ ଫ୍ଲାଗ ମୋମେଣ୍ଟ ଅନୁସାରେ ରଥ ଟଣା ପରିଚାଳନା କରିବାକୁ ଦିଆଯାଉଛି ବିଫ୍ରିଂ ।

ସେପଟେ ଆସନ୍ତାକାଲି ଠାରୁ ଲାଗୁ ହେବ ଟ୍ରାଫିକ ନୀୟମାବଳି । ବ୍ରହ୍ମଗିରି, କୋଣାର୍କ ଓ ଭୁବନେଶ୍ବର ତିନି ପଟରୁ ଆସୁଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଚିହ୍ନିତ ପାର୍କିଂ ସ୍ଥାନରେ ପାର୍କିଂ କରାଯାଇପାରିବ । CHATBOT ଆପ ମାଧ୍ୟମରେ ସୂଚନା ପାଇପାରିବେ ଶ୍ରଦ୍ଧାଳୁ ।

Comments are closed.