Latest Odisha News

BREAKING NEWS

ଆଜି ଚନ୍ଦ୍ର ପୃଷ୍ଠକୁ ଉଡ଼ାଣ ଭରିବ ଚନ୍ଦ୍ରଯାନ-୩

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆଜି ଦିନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଉତକ୍ଷେପଣର ପ୍ରାୟ ମାସକ ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମ୍ଭାବନା ରହିଛି। ଯଦି ସବୁକିଛି ଠିକ୍ ରୁହେ ତାହେଲେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଦିଗରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଦୁନିଆର ପ୍ରଥମ ମିଶନ ହେବ। ପରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡ଼ାଇବ।

୨ ଦଶନ୍ଧିରେ ତୃତୀୟ ମିଶନ। ଚନ୍ଦ୍ରରେ ପହଞ୍ଚିବାକୁ ପୁଣି ଥରେ ଭାରତର ପ୍ରୟାସ। ଶେଷଥର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨କୁ ମହାକାଶକୁ ପଠାଇଥିଲା। ଯେଉଁଥିରେ ଉତକ୍ଷେପଣକୁ ବାଦ୍ ଦେଲେ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହୋଇ ନଥିବାରୁ ମିଶନ ବିଫଳ ହୋଇଥିଲା। ଏବେ ପୁଣି ଥରେ ଇସ୍ରୋ ମିଶନ୍ ମୁନ୍ ଆରମ୍ଭ କରିଛି । ଏହା ୨୦୧୯ ଚନ୍ଦ୍ରଯାନ-୨ ମିଶନର ଅଂଶ।

୨୦୧୯ରେ ଭାରତ ଚନ୍ଦ୍ରଯାନ-୨ ଉତକ୍ଷେପଣ କରିଥିଲା । ତେବେ ସଫ୍ଟ ଲାଣ୍ଡିଂ ସଫଳ ନ ହେବାରୁ ଲ୍ୟାଣ୍ଡର ରୋଭର ସହ ସମ୍ପର୍କ ବିଛିନ୍ନ ହୋଇ ଯାଇଥିଲା । ସେତେବେଳେ ପ୍ରୋପଲେସନ ସିଷ୍ଟମରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ଲ୍ୟାଣ୍ଡର ଗତିକୁ ବଢ଼ାଇ ଦେଇଥିଲା। ଅବତରଣ ସମୟରେ ଗତି ହ୍ରାସ ପାଇବାକୁ ଥିବାବେଳେ ଏହା ହ୍ରାସବୃଦ୍ଧି ଜାରି ରଖିଥିଲା। ତେଣୁ ସଫ୍ଟୱାର ତାକୁ ନିୟନ୍ତ୍ରଣ କରିପାରି ନଥିଲା। ଏବେ ଚନ୍ଦ୍ରଯାନ-୩ରେ ଭାରତ ଅନେକ ପରିବର୍ତ୍ତନ ଆଣିଛି। ଏଥିରେ ଅର୍ବିଟର ନାହିଁ। କାରଣ ଚନ୍ଦ୍ରଯାନ-୨ରେ ପଠା ଯାଇଥିବା ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି। ପୂର୍ବ ତୁଳନାରେ ଲ୍ୟାଣ୍ଡରକୁ ଆହୁରି ମଜଭୁତ କରାଯିବା ସହ ଅନେକ ସେନସର ଲଗାଯାଇଛି। ଲ୍ଯାଣ୍ଡରରେ ୪ଟି ମୋଟର ରହିଛି। ଉତକ୍ଷେପଣ ପୂର୍ବରୁ ଏକାଧିକ ପରୀକ୍ଷଣ କରାଯାଇଛି।

Leave A Reply

Your email address will not be published.