Latest Odisha News

BREAKING NEWS

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ଆଜି ଭାରତ ବନ୍ଦ 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧି ନୀତି ବିରୋଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ କରାଯାଉଛି।

ଏହି ବନ୍ଦକୁ ରାଜ୍ୟ କଂ‌ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଛିନ୍ତି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି।

ଏହାର ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଜନଶୂନ୍ୟ ହୋଇଛି।

କେନ୍ଦ୍ରରେ ମୋଦି ସରକାର ଶ୍ରମ ଆଇନରେ ସଂଶୋଧନ, କୃଷକ ଆଇନ ପରିବର୍ତ୍ତନ କରିବା ଫଳରେ କୃଷକ, ଶ୍ରମିକ ଓ ସାଧାରଣ ଜନତାଙ୍କ ଉପରେ ଘୋର ବିପଦ ମାଡି ଆସିଛି । କୋଭିଡ୍‌ ନାମରେ ବିଭିନ୍ନ ଆଇନକୁ ସଂଶୋଧନ କରି ଜନତାଙ୍କ ପେଟରେ ଲାତ ମାରି ପୁଞ୍ଜିପତିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଦେଶର ଅର୍ଥନୀତି ଆଜି ଭୁଶୁଡି ପଡିଛି। ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ କରିବା ପାଇଁ ପ୍ରୟାସ କରୁଛନ୍ତି ।

ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟାଙ୍କ, ବୀମା ସଂସ୍ଥା, ରେଳ, ପ୍ରତିରକ୍ଷା ଉତ୍ପାଦନ, କୋଇଲା, ଖଣି, ବିଦ୍ୟୁତ ଓ ତୈଳ ଆଦିକୁ ଘରୋଇ ଶିଳ୍ପପତି ମାନଂକୁ ବିକ୍ରି କରାଚାଲିଛି । ତେଣୁ ଏସବୁକୁ ବିରୋଧ କରିବା ସହ ଶ୍ରମ ଓ କୃଷି ଆଇନର ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ ଓ ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ଆଦି ୨୭ ଦଫା ଦାବିରେ କେନ୍ଦ୍ରୀୟ ମିଳିତ ଟ୍ରେଡ଼ ୟୁନିୟନ ଆଜି ରାଜରାସ୍ତାକୁ ଓଲ୍ଲାଇଥିବା କୁହାଯାଇଛି ।

ଏଥିରେ ବିଭିନ୍ନ ଟ୍ରେଡ୍ ୟୁନିୟନ ସାମିଲ ହୋଇଥିବା ବେଳେ ସମସ୍ତ ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ବିଦ୍ୟୁତ କର୍ମଚାରୀ, ଟେଲି ଯୋଗାଯୋଗ, ଖଣି, ବ୍ୟାଙ୍କ, ବୀମା ସଂସ୍ଥା ଓ ଔଷଧ ଶିଳ୍ପର ଶ୍ରମିକମାନେ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଭାରତ ବନ୍ଦ ନେଇ କୌଣସି ସୂଚନା ସଂଘକୁ ଦିଆଯାଇନଥିବାରୁ ଘରୋଇ ବସ୍‌ ଚାଲିବ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି।

କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.