Latest Odisha News

ଆଜି ଦଶହରା, ପବିତ୍ର ବିଜୟ ଦଶମୀ: ଆସିଲାଣି ମାଆଙ୍କୁ ମେଲାଣି ଦେବା ସମୟ…..

ଭୁବନେଶ୍ୱର:

“ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।

ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ ।।”

 

ସରି ସରି ଆସିଲାଣି ଦିନ। ମେଲାଣି ନେବେ ମାଆ। ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତୀନାଶିନୀ ମା’ ଦୁର୍ଗା। ଆଜି ମା’ଙ୍କର ବିଜୟା ଦଶମୀ । ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ତେଣୁ ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା । ବେଦ ମନ୍ତ୍ର, ତନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରରୁ ଗାଁ । ମାଆଙ୍କ ଆବାହନରେ କମ୍ପୁଛି ଗଗନ ପବନ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପୂଜକଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ।

କୁହାଯାଏ ଆଜିର ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି । ଏହା ପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ରାବଣ ପୋଡି ଅନୁଷ୍ଠିତ ହେବ ।

ସେପଟେ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭିଡ଼। ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହୁଛି। ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି। କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସୁସଜ୍ଜିତ ହୋଇ ଝଲସୁଛି ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ।

Leave A Reply

Your email address will not be published.