Latest Odisha News

BREAKING NEWS

ଆଜି ପବିତ୍ର ହରିଶୟନ ଏକାଦଶୀ, ୪ମାସ ଯାଏଁ ଶୋଇବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ହରିଶୟନ ଏକାଦଶୀ ଉପଲକ୍ଷେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଆଜି ଠାରୁ ନିଦ୍ରା ଯାଇଛନ୍ତି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଆଜି ଠାରୁ ଶୋଇଛନ୍ତି। ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ।

ଏହି ପରମ୍ପରା ଆଧାରରେ ଆଜି ବଳଭଦ୍ରଙ୍କ ଶୟନ ଠାକୁର ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ନାରାୟଣଙ୍କ ଅଙ୍ଗଲାଗି ନୀତି ସଂପନ୍ନ ପରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଶୟନ ପାଇଁ ଆବାହନ କରାଯିବ। ପରେ ତିନି ଠାକୁର ଭଣ୍ଡାର ଘର ଖଟ ଉପରେ ଆଜି ଠାରୁ ଚାରିମାସ ପର୍ଯ୍ୟନ୍ତ ‌ଶୟନ କରିବେ। ଏହି ସମୟରେ ଯେହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହି ସମୟ ଭିତରେ କୌଣସି ଶୁଭ କାର୍ଯ୍ୟ କରାଯାଏନାହିଁ ବୋଲି ବିଶ୍ଵାସ ରହିଛି।

ପରମ୍ପରା ଅନୁଯାୟୀ, ଆଜି ହରିଶୟନ ଏକାଦଶୀ ପରେ ଆସନ୍ତାକାଲି ଦ୍ଵାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଭଳି ପ୍ରଭୁ ଗରୁଡ଼ ବି ଶୟନରତ ରହିବେ। ମହାପ୍ରଭୁ ଚାରିମାସ ପରେ ଉଠିବା ପରେ ପ୍ରଭୁ ଗରୁଡ଼ ବି ନିଦ୍ରାରୁ ଉଠିବେ। ଆସନ୍ତାକାଲି ସଂଧ୍ୟାଧୂପ ପରେ ଗରୁଡ଼ଙ୍କୁ ଗାଧୁଆପାଧୁଆ କରାଯାଇ ବସ୍ତ୍ରାଦି ଆଭୂଷଣରେ ବେଶ କରାଯିବ। ପରେ ପଞ୍ଚଭୂତରେ ଭୋଗ ହୋଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯିବ। ପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘର ଖଟ ‌ତଳେ ପ୍ରଭୁ ଗରୁଡ଼ ବିଶ୍ରାମ ନେବେ। ଠାକୁରଙ୍କ ଖଟ ତଳେ ଶୋଇ ରହିବେ ଗରୁଡ଼।

Leave A Reply

Your email address will not be published.