Latest Odisha News

ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି; କ’ଣ ରହିଛି ଏହାର ମାହାତ୍ମ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହା ବର୍ଷର ଏକାଦଶ ସଂକ୍ରାନ୍ତି । ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିକୁ ଗମନ କରନ୍ତି ।

୧୨ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ପରେ କୁମ୍ଭ ସଂକ୍ରାନ୍ତି ଶ୍ରେଷ୍ଠ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଆଜି ଗୃହରେ ଗ୍ରହପୂଜା ଓ ସଂକ୍ରାନ୍ତି ହୋମ ଇତ୍ୟାଦି କରାଯାଏ । ଆଜି ମଧ୍ୟ ପାପରୁ ମୁକ୍ତି ଓ ନାଶ ପାଇଁ ପ୍ରାର୍ଥନା କରି ପବିତ୍ର ନଦୀରେ ସ୍ନାନ କରାଯାଇଥାଏ । ଆଜି ସୂର୍ଯ୍ୟଦେବଙ୍କୁ ଉପାସନା କରିବା ସହ ପବିତ୍ର ସ୍ନାନ ପରେ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହାଦ୍ୱାରା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହ ଅନେକ ରିଷ୍ଟ ଖଣ୍ଡନ ହୋଇଥାଏ

କୁମ୍ଭ ସଂକ୍ରାନ୍ତିରେ ଦାନ ଦ୍ୱାରା ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ସଂକ୍ରାନ୍ତିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରନ୍ତି । ଯମୁନା ଗୋଦାବରୀ ନର୍ମଦା ଗୋଦାବରୀ ନର୍ମଦା ଓ ଶିପ୍ରା ନଦୀରେ ମଧ୍ୟ ବୁଡ଼ ପାକାଯାଏ । ଏହି ସ୍ନାନକୁ ସଂକ୍ରମଣ ସ୍ନାନ କୁହାଯାଏ । ଏହା ଦ୍ୱାରା ପୁର୍ବ ଜନ୍ମ ତଥା ଏହି ଜନ୍ମର ପାପରୁ ମୁକ୍ତି ମିଳୁଥିବା ବିଶ୍ୱାସ କରାଯାଏ ।

ଏହି ଅବସରରେ ଇଲାହାବାଦ ନାଶିକ୍ ହରିଦ୍ୱାର ଓ ଉଜ୍ଜୈନରେ ପ୍ରବଳ ଜନ ସମାଗମ ହୁଏ । ଉତ୍ତର ଭାରତରେ ଏହି ସଂକ୍ରାନ୍ତିରେ ଗାଈ ଗୋରୁଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଏ ।

ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗରେ କୁମ୍ଭ ସଂକ୍ରାନ୍ତିକୁ ଫଗୁଣ ମଙ୍କସର ପ୍ରଥମ ଦିନ ଭାବେ ଗ୍ରହଣ କରାଯାଏ । କେରଳରେ ଏହାକୁ ମାସୀ ମାସମ କୁହାଯାଏ । ମାଘ ମାସ ଶୁକ୍ଳ ପକ୍ଷ ଅଷ୍ଟମିରେ ପିତା ମହ ଭୀଷ୍ମ ଦେହତ୍ୟାଗ କରିଥିଲେ । ତେଣୁ ଏହା ଭୀଷ୍ମାଷ୍ଟମୀ ଭାବେ ଖ୍ୟାତ ।

ପୂଜା ବିଧି:

ସପରିବାର ବିଧିପୂର୍ବକ ସଂକ୍ରାନ୍ତି ପୂଜା କରିବା ସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ । ଏହି ସ୍ତୋତ୍ର ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ରୋଗ ମୁକ୍ତ ସହ ଆରୋଗ୍ୟ ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହିଦିନ ମଧ୍ୟ ଶିବଙ୍କୁ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ପଇଡ଼ ଜଳ ଅର୍ପଣ କରାଯାଏ ।ଏହା ସହ କଞ୍ଚା କ୍ଷୀର ଓ ୨୧ଟି ବେଲ ପତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ସର୍ବ ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ । କୁମ୍ଭ ସଂକ୍ରାନ୍ତିରେ ଗୋଦାନ କରିବା ଦ୍ୱାରା ଶ୍ରୀ ବିଷ୍ଣୁଙ୍କ କୃପା ମିଳିବା ସହ ବୈକୁଣ୍ଠପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

Leave A Reply

Your email address will not be published.