Latest Odisha News

BREAKING NEWS

ପବିତ୍ର ସ୍ନାନଯାତ୍ରା: ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ, ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି । ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଥିବାବେଳେ ଏହାପରେ ମା’ ସୁଭଦ୍ରା ଓ ପରେ କାଳିଆ ଠାକୁର ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଆସି ପହଞ୍ଚିଛନ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏହାପରେ ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

ଦିନ ୯ ଟାରେ ସ୍ନାନ ମଣ୍ଡପରେ ପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯିବ। ଦିନ ୧୨ଟା ୨୦ରେ ଜଳବିଜେ ନୀତି କରାଯିବ । ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ଦାରୁଦିଅଁ । ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି । ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

ମାହାପ୍ରଭୁଙ୍କ ଏହି ହାତୀବେଶ ଦର୍ଶନ ପାଇଁ ଅପଲକ ନୟନରେ ଚାହିଁ ରହିଛନ୍ତି କୋଟି କୋଟି ଭକ୍ତ । ବ୍ୟାରିକେଡରେ ସିଂହ ଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ ଭକ୍ତମାନେ । ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇବେ । ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.