Latest Odisha News

BREAKING NEWS

ଅଣସର ପିଣ୍ଡିରେ ଗୁପ୍ତନୀତି, ଆଜି ଶ୍ରୀଜିଉଙ୍କ ଫୁଲୁରି ତେଲ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ କରୁଛନ୍ତି ଚିକିତ୍ସା। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦଠାରୁ ଚତୁର୍ଥୀ ତିଥି ମଧ୍ୟରେ ଓଦା ବସ୍ତ୍ର ଓଲାଗି, ଶ୍ରୀଅଙ୍ଗ ଫିଟା ନୀତି ସରିଥିବା ବେଳେ ପଞ୍ଚମୀ ତିଥିଠାରୁ ସପ୍ତମୀ ତିଥି ପର୍ଯ୍ୟନ୍ତ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ। ଶ୍ରୀମନ୍ଦିରକୁ ବଡ ଓଡ଼ିଆ ମଠ ତରଫରୁ ଯୋଗାଇ ଦିଆଯାଇଥାଏ ଏହି ସୁବାସିତ ଫୁଲୁରି ତେଲ। ତିନି ଦିନ ଏହି ତେଲର ମାଲିସ ପରେ ଶ୍ରୀଅଙ୍ଗରୁ ଓହ୍ଲାଇଥାଏ ତାତି ଏବଂ ଧୀରେ ଧୀରେ ସୁସ୍ଥ ହୁଅନ୍ତି ଶ୍ରୀଜିଉ।

ଫୁଲ ଓ ତେଲର ସମ୍ମିଶ୍ରଣରେ ହେଉଥିବାରୁ ଏହି ତେଲର ନାଁ ଫୁଲୁରି ତେଲ। ଘଣା ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୁଏ ଏହି ଫୁଲୁରି ତେଲ। ୧୪ ପ୍ରକାର ଫୁଲ ଆଉ ୭ ପ୍ରକାର ଚେରମୂଳି ଏହି ତେଲରେ ମିଶିଥାଏ। ପ୍ରମୁଖ ଭାବରେ ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ମଲ୍ଲୀ, କିଆ, କେତକି ସହ କିଛି ଶୁକ୍ଲ ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ମାଟିରେ ପୋତିଦିଆଯାଏ। ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖାଯାଯିବା ପରେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟିରୁ ବାହାର କରାଯାଇଥାଏ। ବଡ଼ ଓଡ଼ିଆ ମଠ ତରଫରୁ ଏହି ତେଲକୁ ଔଷଧ ଭାବରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ ।

ଏହାପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦ୍ଦନ କରନ୍ତି ଦଇତାପତି ସେବାୟତ। ଅଣସର ତାଟି ଭିତରେ ଚାଲିଥିବା ଏହି ଗୁପ୍ତ ସେବା ଶ୍ରୀଜୀଉଙ୍କୁ ଜ୍ବରରୁ ଉପଶମ ଦିଏ। ସାଆନ୍ତଙ୍କ ସୁସ୍ଥତାକୁ ନେଇ ଭକ୍ତ, ସେବାୟତ ବ୍ୟାକୁଳ ଥିବା ବେଳେ ତିନିଦିନ ଧରି ଫୁଲୁରିର ସୁବାସ ଓ ଔଷଧୀୟ ଗୁଣ ସାଆନ୍ତଙ୍କୁ ତାତିରୁ ଆଶ୍ୱସ୍ଥ କରିବ। ପରେ ଓଷ ଲାଗି ଓ ଦଶମୂଳକ ମୋଦକ ସେବନ କରିବେ ମଣିମା। ଦଶମୀ ଦିନ ଚକାବିଜେ ପରେ ଏକାଦଶୀ ଦିନ ସାଆନ୍ତଙ୍କ ସୁସ୍ଥତାର ଖବର ରାଜନଅରକୁ ଯିବ।

Leave A Reply

Your email address will not be published.