Latest Odisha News

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭିଡ; ବଡ ଠାକୁରଙ୍କ ପାଖେ ଲାଗି ହେଲା ମକରଚାଉଳ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ବଡଠାକୁରଙ୍କର ହେବ ମକର ନୀତି । ମଧ୍ୟାହ୍ନ ଧୂପ ପରେ  ଏହି ନୀତି ଅନୁଷ୍ଠିତ ହେବ ।ଏହି ଅବସରରେ ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି । ମହାପ୍ରଭୁଙ୍କ ମକର ଚୌରାଶି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏଥି ନେଇ  ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ସକାଳୁ ସକାଳୁ ଶ୍ରୀଜିଉଙ୍କୁ ପହିଲି ଭୋଗ ପରେ ନୀତିକାନ୍ତି ଆଗକୁ ବଢିଛି ।

ଆଜି ମାଳଚୂଳ ଆଉ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜେଇ ହେବେ ଶ୍ରୀଜିଉ । ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରିଯାଇଛି ।ବଡ ଓଡିଆ ମଠ ପକ୍ଷରୁ ସୁବାସିତ ପୁଷ୍ପ ଓ ତୁଳସୀ ମାଳ ପ୍ରସ୍ତୁତ ହୋଇଛି ।  ଅପରାହ୍ନରେ ଶ୍ରୀମନ୍ଦିରରେ ମକରବେଢା ନୀତି ସହ ଅନ୍ୟାନ୍ୟ ନୀତି ପାଳନ କରିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ ଘଣ୍ଟାଘଣ୍ଟା, ମୃଦଙ୍ଗ ବାଜାର ତାଳେ ତାଳେ ମନ୍ଦିର ବେଢା ପରିକ୍ରମା କରାଯିବ । ଏହାପରେ ରୋଷଶାଳରୁ ମହାଭୋଇ ମାନେ ଦହି ଆଣିବେ । ଗୁଡିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ । ତାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି ।

ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ମକର ପର୍ବ ଧୁମଧାମରେ ପାଳିତ ହେଉଛି । ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ  ମକରକୁ ଗଣପର୍ବ ଭାବେ ପାଳନ କରିଥାନ୍ତି ଲୋକେ । ଏହି ଜିଲ୍ଲାରେ ଆଜି ଘରେ ଘରେ ପିଠାପଣା କରାଯାଇ ଭୋଗ କରାଯାଇଥାଏ । ଅନ୍ୟପକ୍ଷେ ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିରେ ପାଳିତ ହେଉଛି ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା । ନିଃସନ୍ତାନ ମହିଳାମାନେ ମାନସିକ ରଖି ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ।

Comments are closed.