Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜି ପ୍ରଳମ୍ବାସୁରବଧ ବେଶ

ପୁରୀ:ଆଜି ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ  ଶ୍ରୀବଳଭଦ୍ରଦେବଙ୍କର ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହୋଇଥାଏ ।  ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ । ଆଜି ଶ୍ରୀଜଗନ୍ନାଥ ଓ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି ।  କେବଳ ବଳଭଦ୍ରଙ୍କୁ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ କରାଯାଏ ।

ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନଭାଗରେ ସଜାଯାଏ । ସେ ଅସୁରର ସ୍କନ୍ଧ ଏବଂ ଦୁଇ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏ ବେଶରୁ ସ୍ପଷ୍ଟ ହୁଏ । ଏହି ବେଶ ଦ୍ୱିପ୍ରହର ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ । ମାଦଳା ପାଞ୍ଜି ଅନୁଯାୟୀ ଏହି ବେଶ ରାଜା ଭୋଜଙ୍କ ରାଜତ୍ୱ ସମୟରେ ଆରମ୍ଭ ହୋଇଥିଲା ।

ପ୍ରଳମ୍ବାସୁର  ସମ୍ପର୍କରେ ଶ୍ରୀମଦଭାଗବତର ଦଶମ ସ୍କନ୍ଧରେ  ବର୍ଣ୍ଣନା ରହିଛି ।  ଯମୁନା ନଦୀ କୂଳରେ  ଶ୍ରୀବଳଭଦ୍ର ଓ ଶ୍ରୀକୃଷ୍ଣଙ୍କ କ୍ରୀଡା କରୁଥିବା ବେଳେ  ଏକ ଯୁଦ୍ଧକାଳୀନ ଅଭିନୟ ସେମାନଙ୍କର କ୍ରୀଡାର ବିଷୟବସ୍ତୁ ହୋଇଥିଲା । ଗୋପ ବାଳକଙ୍କ ସମେତ ଶ୍ରୀକୃଷ୍ଣ ଓ ବଳରାମଙ୍କର କ୍ରୀଡା ସମୟରେ କଂସର ନିର୍ଦ୍ଦେଶ ଥିଲା ତାଙ୍କୁ ମାରିବା ପାଇଁ । ସେମାନଙ୍କୁ ମାରିବ ବୋଲି ମନେ ମନେ ଭାବି ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ସେମାନଙ୍କ ସହିତ ଆସି ମିଶିଲା । ଏକଥା କିନ୍ତୁ କୃଷ୍ଣଙ୍କୁ ଅଜଣା ଥିଲା । ସେ ଗୋପାଳ ବାଳକମାନଙ୍କୁ ପ୍ରସ୍ତାବ ଦେଲେ ଯେ ରାଜା ପରଜା ନାକମ ଏକ ଖେଳ ଅଛି,ବର୍ତ୍ତମାନ ଆମେ ସେହି ଖେଳ ଖେଳିବା ।

ଏକଥା ଶୁଣି ଗୋପାଳମାନେ  ଆନନ୍ଦ ମନରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜା କରି ଅନ୍ୟ ସମସ୍ତ ଗୋପାଳ ପ୍ରଜା ହେଲେ । ଏହି ଖେଳରେ ଯେ ଯୁଦ୍ଧରେ ହାରିବ, ସେ ବିଜେତାକୁ କନ୍ଧରେ ବସାଇ ଭାଣ୍ଡୀର ନାମକ ବଟବୃକ୍ଷ ତଳକୁ ବୋହିନେବ । ତତ୍ପରେ ଛଦ୍ମବେଶୀ ପ୍ରଳମ୍ବାସୁର ସହିତ ବଳରାମଙ୍କର ଯୁଦ୍ଧ ହେଲା । ପ୍ରଳମ୍ବ ଜାଣି ଜାଣି ହାରି, ବଳରାମଙ୍କୁ ସ୍କନ୍ଧରେ ବହନ କରି ନିର୍ଦ୍ଧିଷ୍ଟ ସ୍ଥଳକୁ ଯିବା ପରିବର୍ତ୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତିକଲା ବେଳେ  ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ । ଗୋବର୍ଦ୍ଧନ ନିକଟରେ ତାହାର ମୃତ୍ୟୁ ଘଟିଲା । ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଆସୁଅଛି ।

Leave A Reply

Your email address will not be published.