Naveen Patnaik On Cyclone Montha: ଭୟ ନକରି ସତର୍କ ରୁହନ୍ତୁ, ଏକାଠି ହୋଇ ବାତ୍ୟାର ମୁକାବିଲା କରିବା: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବାତ୍ୟା ମୋନ୍ଥା ଯୋଗୁଁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଆଉ ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକ।
ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଏବେ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି। ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏହାରି ମଧ୍ୟରେ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ଭିଡିଓରେ ସେ କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀମାନେ। ସମସ୍ତଙ୍କୁ ନମସ୍କାର। ଆପଣ ଜାଣନ୍ତି ବାତ୍ୟା ‘ମୋନ୍ଥା’ ଆସୁଛି। ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ। ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ। ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।
Comments are closed.