Latest Odisha News

ଶୌଚାଳୟ ଦୁର୍ନୀତି: ୨୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲୋକାୟୁକ୍ତ

ପୁରୀ: ପୁରୀ ଜିଲ୍ଲାର ଗୋପ ବ୍ଲକରେ ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ହୋଇଥିବା ଶୌଚାଳୟ ଦୁର୍ନୀତି ଆବେଦନର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ । ଅଭିଯୋଗ ଅନୁଯାୟୀ ଶୌଚାଳୟ କେବଳ କାଗଜ କଲମରେ ନିର୍ମାଣ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ଥିଲା।ଆବେଦନର ଶୁଣାଣି କରି ଓଡିଶା ଲୋକାୟୁକ୍ତ ୨୧ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଟ୍ ୧୬ ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ମଙ୍ଗଳବାର ଲୋକାୟୁକ୍ତ ୨୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ଗୋପ ବ୍ଲକର ଦୁଇଜଣ ଇଞ୍ଜିନିୟର, ତିନିଟି ଏନଜିଓ ଏବଂ କିଛି ହିତାଧିକାରୀ ରହିଛନ୍ତି।

ସ୍ଥାନୀୟ ବାସିନ୍ଦା ଗଙ୍ଗାଧର ପାଇକରାୟ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ତିଆରି ହେଉଥିବା ଶୌଚାଳୟରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସରକାରୀ ଖାତା କଲମରେ ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା ଇଚ୍ଛାପୁର ପଞ୍ଚାୟତରେ ୭୫୦ ଶୌଚାଳୟ ନିର୍ମାଣ କରାଯାଇଥିବା ଦର୍ଶାଯାଇଛି। ହେଲେ ବାସ୍ତବ ସ୍ଥିତି କିଛି ଅଲଗା ଥିଲା।

ତଦନ୍ତପରେ ଭିଜିଲାନ୍ସ ଲୋକାୟୁକ୍ତ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ ୧୧୯ ଶୌଚାଳୟ ପାଇଁ ନକଲି ବିଲ୍ ତିଆରି କରି ୧୬ ଲକ୍ଷରୁ ଅଧିକ ଟଙ୍କା ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା।

ଲୋକାୟୁକ୍ତ ଏହି ଦୁର୍ନୀତି ମାମଲାର ଶୁଣାଣି କରିବା ପରେ ଗଙ୍ଗାଧର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୨୦ରେ ଶୌଚାଳୟ ନିର୍ମାଣରେ ଦୁର୍ନୀତି ସମ୍ପର୍କରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲି। ଆଜି ଏହାର ଶୁଣାଣି ହୋଇଛି। ଲୋକାୟୁକ୍ତ ୨୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋପ ବିଡିଓ ଦୀପୀରାଣି ଦାଶ କହିଛନ୍ତି, ମୁଁ ଏପର୍ୟ୍ୟନ୍ତ ଲୋକାୟୁକ୍ତଙ୍କ ରାୟର ଦସ୍ତାବିଜ ପାଇ ନାହିଁ।

Comments are closed.