Latest Odisha News

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ୍ ସିଂହ

ଭୁବନେଶ୍ବର : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ଆଜି ବିଦ୍ଧିବଦ୍ଧ ଭାବେ ସେ ହକିକୁ ଅଲବିଦା କହିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ ।

୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ବୀରେନ୍ଦ୍ର ଲାକ୍ରା ଭାରତୀୟ ହକି ଟିମର ଡିଫେଣ୍ଡର ଥିଲେ । ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଛନ୍ତି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ବୀରେନ୍ଦ୍ର ଲାକ୍ରା ଖେଳି ସାରିଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସ ରେ ହକି ଟିମରେ ସାମିଲ ହୋଇଥିଲେ । ଆଉ ଟୋକିଓରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷର ସ୍ବପ୍ନକୁ ସାକାର କରିଥିଲା ।

ସେହିପରି ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଷ୍ଟାର୍ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ ମଧ୍ୟ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି । ୩୦ ବର୍ଷୀୟ ରୂପିନ୍ଦର ନିଜର ୧୩ ବର୍ଷର କ୍ୟାରିୟରରେ ଭାରତୀୟ ଦଳ ପାଇଁ ୨୨୩ ମ୍ୟାଚ୍ ଖେଳିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ପଦକ ନିଜ ନାଁରେ କରିଥିଲା । ଏହି ମୁକାବିଲାରେ ରୂପିନ୍ଦର ପାଲ୍ ସିଂହ ମଧ୍ୟ ଗୋଟିଏ ଗୋଲ୍ ଦେଇଥିଲେ । ଅନ୍ତର୍ଜାତୀୟ ହକିରୁ ଅବସର ନେବା ସହ କୋଚ୍, ଚୟନକର୍ତ୍ତା, ଫିଜିଓ ଓ ନିଜର ଟିମ୍ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.