Latest Odisha News

BREAKING NEWS

ନିର୍ବାଚନ ପରେ ଟମାଟୋ ଦର ବୃଦ୍ଧି: ଅନେକ ରାଜ୍ୟରେ ୫୦ରୁ ଅଧିକ, ଗୋଟିଏ ସ୍ଥାନରେ ଶତକ ପାର୍

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟ ହେଉ ଅବା କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଅନେକ ନେତା ଯେପରି ମନ୍ତ୍ରୀ ହେଲା ପରେ ଭାଉ ବଢିଛି। ସେହିପରି ଯେଉଁ ସମୟରେ ପରିବା ଦର କମ୍ ହେବା କଥା ସେହି ସମୟରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହି କ୍ରମରେ ଟମାଟୋ ଦର ଯାହା ଦୁଇ ସପ୍ତାହ ତଳେ କିଲୋ ପିଛା ୩୦ ଟଙ୍କା ଥିଲା ତାହା ଏବେ ଶତକ ମାରି ସାରିଛି।

ଖାସ୍ କଥା ହେଉଛି ଦେଶର ୧୭ଟି ରାଜ୍ୟରେ ଟମାଟୋ ଦର ୫୦ ଟଙ୍କା ଉପରେ ପହଞ୍ଚିଛି। ୯ଟି ରାଜ୍ୟରେ ଟମାଟୋ ଦର କିଲୋ ପିଛା ୬୦ ଟଙ୍କାରୁ ଅଧିକ ରହିଛି। ସେହିପରି ୪ଟି ରାଜ୍ୟରେ ଟମାଟୋ ଦର ୭୦ ଟଙ୍କାରୁ ଅଧିକ ରହିଛି। କେବଳ ଗୋଟିଏ ରାଜ୍ୟ ଅଛି ଯେଉଁଠାରେ ଟମାଟୋ ଦର ୧୦୦ ଟଙ୍କା ଅତିକ୍ରମ କରିଛି ।

ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମ ପ୍ରବାହ ଓ ଟମାଟୋର କମ୍ ଉତ୍ପାଦନ ଯୋଗୁଁ ଆଗାମୀ ଦିନରେ ଟମାଟୋ ଦର ୧୦୦ ଟଙ୍କା ଅତିକ୍ରମ କରିପାରେ।

କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବରରେ ଟମାଟୋ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଖାଉଟି ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜୁନ୍ ୨୦ରେ ଦିଲ୍ଲୀରେ ଟମାଟୋ ଦର କିଲୋ ପିଛା ୧୦୦.୩୩ ଟଙ୍କା ଥିଲା। ଏବେ କେରଳରେ ଟମାଟୋ ଦର କିଲୋ ପିଛା ୮୨ ଟଙ୍କାରେ ଦେଖିବାକୁ ମିଳିଛି। ମିଜୋରାମ ଓ ତାମିଲନାଡୁରେ ଟମାଟୋ ଦର କିଲୋ ପିଛା ୭୦ ଟଙ୍କା ଅତିକ୍ରମ କରିଛି।

ତେଲେଙ୍ଗାନା, ଗୋଆ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ମହାରାଷ୍ଟ୍ରରେ ଟମାଟୋ କିଲୋ ପିଛା ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ସିକ୍କିମ, ଓଡ଼ିଶା, ଦାଦରା ଓ ନଗର ହାଭେଲି, ମେଘାଳୟ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ଟମାଟୋ ଦର କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଛି।

ଖାଉଟି ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଟମାଟୋର ହାରାହାରି ମୂଲ୍ୟରେ ଭଲ ବୃଦ୍ଧି ଘଟିଛି। ଜୁନ୍ ମାସରେ ଟମାଟୋର ହାରାହାରି ଦର କିଲୋ ପିଛା ୧୨ ଟଙ୍କା ୪୬ ପଇସା ବୃଦ୍ଧି ପାଇଛି। ମେ ୩୧ରେ ଟମାଟୋର ହାରାହାରି ଦର କିଲୋ ପିଛା ୩୪.୧୫ ଟଙ୍କା ରହିଛି। ଜୁନ୍ ୨୦ରେ ଦେଶରେ ଟମାଟୋର ହାରାହାରି ଦର କିଲୋ ପିଛା ୪୬ ଟଙ୍କା ୬୧ ପଇସାରେ ପହଞ୍ଚିଛି।

ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଦକ୍ଷିଣ ଭାରତରେ ଟମାଟୋର ମୁଦ୍ରାସ୍ଫୀତି ଅଧିକ ଦେଖିବାକୁ ମିଳୁଛି। ଦେଶର ଉତ୍ତର ଦିଗ କଥା କହିବାକୁ ଗଲେ ଦିଲ୍ଲୀରେ ଟମାଟୋ ଦର ୩୩ ଟଙ୍କା ରହିଛି । ଜୁନ୍ ମାସରେ ଦିଲ୍ଲୀରେ ଟମାଟୋ ଦର କିଲୋ ପିଛା ୨୮ ଟଙ୍କା ବୃଦ୍ଧି ପାଇଛି।

Leave A Reply

Your email address will not be published.