Latest Odisha News

ଆସନ୍ତାକାଲି ଧରାଧାମରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀ ମନ୍ଦିରରେ ଚାଲିଛି ଜୋରଦାର୍ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ ଲାଗିପଡିଛନ୍ତି ଭକ୍ତ । ପୁରୀ ଶ୍ରୀମନ୍ଦିରରେ ହରି ଜନ୍ମାଷ୍ଟମୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ଦିନ ଶ୍ରୀଜଗନ୍ନାଥଙ୍କର ସଂନ୍ଧ୍ୟା ଧୂପ ପରେ ଆଜ୍ଞାମାଳ ଆସିବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସହରର ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ କରିଥାନ୍ତି ଭକ୍ତ ।

ଶ୍ରୀମନ୍ଦିରରେ ଆସନ୍ତାକାଲି ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ଏଥିସହ ସଂନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା,ଝିଲି,ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ। ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି  ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ।

ଦ୍ୱାପରଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହାଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା–ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

Comments are closed.