Latest Odisha News

ନିର୍ଭୟା ଗଣଦୁଷ୍କର୍ମ ମାମଲା: ସଫା ହେଲା ଫାଶି ରାସ୍ତା, କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫେଲ୍ ମାରିଲା ଶେଷ ପ୍ରୟାସ । ସଫା ହେଲା ଫାଶି ରାସ୍ତା । ଖାରଜ ହେଲା କ୍ୟୁରେଟିଭ୍ ପିଟିସନ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି ।

ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଜାରି ହୋଇଥିବା ଡେଥ୍ ୱାରେଂଟ ଅନୁଯାୟୀ ସମସ୍ତ ୪ଜଣ ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳେ ୭ଟାରେ ଫାଶୀ ଖୁଂଟରେ ଝୁଲାଯିବ । ଫାଶୀରୁ ବର୍ତିବା ପାଇଁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଂଟ ଜାରି କରିବା ପରେ ଏହି ୨ ଜଣ ଅଭିଯୁକ୍ତ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ତେବେ ଏହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସମସ୍ତଙ୍କୁ ଫାଶୀରେ ଝୁଲାଯିବା ଦରକାର ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାପୂର୍ବରୁ ଫାଶୀ ଦଣ୍ଡ ପାଇଥିବା ଅକ୍ଷୟ ସିଂହ ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା । ହେଲେ ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସେହିପରି ଗତବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ଅନ୍ୟ ୩ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରି ଫାଶୀ ଦଣ୍ଡାଦେଶ କାଏମ ରଖିଥିଲେ ।

କ୍ୟୁରେଟିଭ ପିଟିସନ କଣ?

କ୍ୟୁରେଟିଭ ପିଟିସନ ହେଉଛି ଆଇନର ଏକ ଶବ୍ଦ । ଏହା ସେହି ସମୟରେ ଦାଏର କରାଯାଇଥାଏ ଯେତେବେଳେ କୌଣସି ଦୋଷୀର ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା ଆବେଦନ ଏବଂ ସୁପ୍ରିମକୋର୍ଟରେ ପୁର୍ନବିଚାର ଖାରଜ କରାଯାଇଥାଏ । ଏପରି ସ୍ଥିତିରେ କ୍ୟୁରେଟିଭ ପିଟିସନ ଦୋଶୀଙ୍କ ପାଖରେ ଥିବା ଶେଷ ସୁଯୋଗ ଯାହା ଦ୍ୱାରା ସେ ନିଜ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦଣ୍ଡରେ କୋହଳତା ପାଇଁ ଆବେଦନ କରିପାରିବ । କ୍ୟୁରେଟିଭ ପିଟିସନ ଯେକୌଣସି ମାମଲାରେ କୋର୍ଟରେ ଶୁଣାଣିର ଶେଷ ପର୍ଯ୍ୟାୟ ହୋଇଥାଏ । ଏହାର ନିଷ୍ପତି ଆସିବା ପରେ ଦୋଷୀ କୌଣସି ବି ପ୍ରକାରର ଆଇନଗତ ସାହାଯ୍ୟ ଆଉ ନେଇ ପାରିବ ନାହିଁ ।

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଜଣେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିଥିଲେ । ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲା । ସେହିପରି ନାବାଳକ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ୩ ବର୍ଷ ପରେ ନାବାଳକ ଜଣକ ସୁଧାର ଗୃହରୁ ଖଲାସ କରାଯାଇଛି । ଏବେ ୪ ଜଣ ଅଭିଯୁକ୍ତ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବେ । ଏମାନେ ସମସ୍ତେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ।

Comments are closed.