Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୨୦୨୨ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହ ଖୋର୍ଦ୍ଧା ବରୁଣେଇପେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ୯ ଏକର ୬୫୮ ଡିସିମିଲ୍ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଦାଦନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଆରମ୍ଭ ହେବ । ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଦାଦନ ପ୍ରବଣ ୨୦ଗୋଟି ବ୍ଲକରେ ଦାଦନ ରୋକିବା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

୨) ଅବଢ଼ା ପରିଯୋଜନା ମାଧ୍ୟମରେ ପୁରୀରେ ହେବ ଧର୍ମଶାଳା । ବାସେଳୀସାହି ଧର୍ମଶାଳା ପ୍ରକଳ୍ପ ପାଇଁ ୧୩୫ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟକ ସ୍ୱଳ୍ପ ଖର୍ଚ୍ଚରେ ରହଣି ସହ ଅନ୍ୟ ସୁବିଧା ପାଇ ପାରିବେ । ଏହାଛଡ଼ା ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଆଇଟି ପଲିସି-୨୦୨୨ ପ୍ରୋତ୍ସାହନକୁ ଅନୁମୋଦନ ମିଳିଛି । ଆଇଟି ପାର୍କ ନିମନ୍ତେ ସ୍ଥାୟୀ ପୁଞ୍ଜିନିବେଶ କଲେ କମ୍ପାନୀମାନଙ୍କୁ ପୁଞ୍ଜିନିବେଶର ୨୫ ପ୍ରତିଶତ (ସର୍ବାଧିକ ୨୦ କୋଟି ଟଙ୍କା) ସରକାର ଦେବେ ।

୩) କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ୪ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏସବୁ ପ୍ରକଳ୍ପ କାର୍ଯ୍ୟ ୨୪ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ନଦୀ ଗର୍ଭ ଜଳ ସଂରକ୍ଷଣ ନିମନ୍ତେ ଋଷିକୁଲ୍ୟା ନଦୀରେ ଗଞ୍ଜାମ ଜିଲ୍ଲାର ବରଦା ଗାଁ ନିକଟରେ ଆନିକଟ ନିର୍ମାଣ ହେବ । ଏଥିପାଇଁ ସରକାର ୧୪୯ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

୪) ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ କାଶୀପୁର ବ୍ଲକରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ହଇଜା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ଦୂଷିତ ଯୋଗୁଁ ହଇଜା ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପାଣିରୁ ଓ ରୋଗୀଙ୍କ ସ୍ୱାବରୁ ହଇଜା କରାଉଥିବା ଭିବ୍ରିଓ ଜୀବାଣୁ ମିଳିଛି ।

୫) ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଆଇଏଲ୍ଏସ୍ ନିର୍ଦ୍ଦେଶକ ତଥା ବୈଜ୍ଞାନିକ ପଦ୍ମଶ୍ରୀ ଡ଼. ଅଜୟ କୁମାର ପରିଡ଼ା । ସେଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ୧୩ ଜାନୁଆରୀ ୨୦୧୭ରୁ ଆଇଏଲଏସ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ରାଜ୍ୟରେ କରୋନା ଭୟାବହତା ବେଳେ ଅଜୟ ପରିଡ଼ାଙ୍କ ସୂଚନା ଓ ସତର୍କ ପରାମର୍ଶ ବେଶ୍ ଲାଭଦାୟୀ ହୋଇଥିଲା ।

୬) କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ କଠୋଇ ହୋଇଛି । ସହରରେ ବାଧ୍ୟତାମୂଳକ ହୋଇଛି ମାସ୍କ । ପୂର୍ବରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା ଲୋକ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜନଗହଳି ସ୍ଥାନ, ପୂଜାସ୍ଥଳୀ, ପାର୍କ ଓ ଜିମରେ ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି ।

୭) ଭିଜିଲାନ୍ସ ହାତରେ ଲାଞ୍ଚୁଆ ଡାକ୍ତର । ଲାଞ୍ଚ ନେବାବେଳେ ଭେଷଜ ବିଶେଷଜ୍ଞ ଉମାକାନ୍ତ ଖଜରିଆଙ୍କୁ କାବୁ କରିଛି ଭିଜିଲାନ୍ସ । ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଉମାକାନ୍ତ । ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ ଡାକ୍ତରଙ୍କୁ ଭିଜିଲାନ୍ସ ଘରୋଇ କ୍ଲିନିକରୁ କାବୁ କରିଛି । କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ଭିଜିଲାନ୍ସ ଉଠାଇ ନେଇଛି ।

୮) ରାଜ୍ୟରେ ୪୭ଟି ହାତୀଙ୍କ ମୃତ୍ୟୁ କେମିତି ହୋଇଛି ତାହାର କାରଣ ଖୋଜି ପାଉନି ବନ ବିଭାଗ । ବନ୍ୟଜନ୍ତୁମାନଙ୍କୁ ଆବଶ୍ୟକ ସୁରକ୍ଷା ମିଳୁନଥିବାରୁ ଶିକାରୀ ଏବଂ ଦୁର୍ଘଟଣାରେ ସେମାନେ ପ୍ରାଣ ହରାଉଥିବା କଥା ସତ୍ୟ ନୁହେଁ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ୨୦୧୭ ଗଣନା ଅନୁଯାୟୀ ରାଜ୍ୟରେ ୧୯୭୬ଟି ହାତୀ ରହିଥିଲେ । ବର୍ତ୍ତମାନ ସେଥି ମଧ୍ୟରୁ ୫ବର୍ଷ ମଧ୍ୟରେ ୨୩୩ଟି ହାତୀଙ୍କର ଜୀବନ ଯାଇଛି ।

୯) ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଏବେବି ଥମିନି । ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା । ଏହାରି ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀରେ ପୁଣି ବିଦ୍ରୋହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଶିବସେନା ବିଧାୟକଙ୍କ ପରେ ଏବେ ସାଂସଦଙ୍କର ପାଳି ପଡିଛି । ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା । ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଏହାପରେ ଏମାନଙ୍କୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

୧୦) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନରେ ପ୍ରାର୍ଥିପତ୍ର ଭରିଛନ୍ତି ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅନ୍ୟ ବିରୋଧୀଦଳ ନେତା ଉପସ୍ଥିତ ଥିଲେ । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ମାର୍ଗାରେଟ । ଗତକାଲି ଧନଖଡ଼ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଗହଣରେ ଯାଇ ନାମାଙ୍କନ ଭରିଥିଲେ ।

୧୧) ଡିଏସପିଙ୍କୁ ଗାଡି ଚଢାଇ ହତ୍ୟା । ହରିୟାଣାରେ ଜମି ଓ ପଥର ମାଫିଆମାନେ ଜଣେ ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା କରିଛନ୍ତି । ଚଢଉ ପାଇଁ ପୋଲିସ ଅଧିକାରୀଜଣଙ୍କ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ପ୍ରାଣ ହରାଇଥିବା ଅଧିକାରୀ ହେଲେ ସୁରେନ୍ଦ୍ର ବିଶ୍ରାଇ । ହରିୟାଣା ନୁହୁ ନିକଟବର୍ତ୍ତୀ ଏକ ପାହାଡ ନିକଟକୁ ପଥର ଚୋରି ରୋକିବାକୁ ଯାଇ ସେ ପଥର ବୋଝେଇ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ମାଫିଆମାନେ ତାଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

୧୨) ଭାରତ ଓ ଚାଇନା ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି । ଏହାକୁ କମ୍ କରିବା ପାଇଁ ଉଭୟ ଦେଶ ଉଦ୍ୟମ କରୁଛନ୍ତି । କମାଣ୍ଡରସ୍ତରୀୟ ଆଲୋଚନା କରୁଛନ୍ତି । ଚୀନ କିନ୍ତୁ ବିବାଦ ବଢାଇବାକୁ ଚାହୁଁଥିବା ନଜର ଆସିଛି । ପୁଣି ଥରେ ଡ୍ରାଗନ୍ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସୈନ୍ୟାଭ୍ୟାସ ଆରମ୍ଭ କରିଛି । ଯାହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଏହା ଉଭୟ ଦେଶ ମଧ୍ୟରେ ଥିବା ବିବାଦକୁ ଅଧିକ ଘନୀଭୂତ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

୧୩) ଟଙ୍କା ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି । ମଙ୍ଗଳବାର କାରବାର ଆରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ହୋଇ ୮୦ଟଙ୍କା ୦୫ ପଇସାକୁ ଖସି ଆସିଛି । ଟଙ୍କା ଦରରେ ଜାରି ହ୍ରାସ ଏବେ କେନ୍ଦ୍ରର ମୋଦି ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ତେବେ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ହେଉଛି କାହିଁକି ଏତେ ଦୁର୍ବଳ ହେଉଛି ଟଙ୍କା ?

୧୪) ଭାରତର ଭେଟେରାନ ସୁଟର ମାଇରାଜ ଅହମ୍ମଦ ଖାନ୍ ଚଳିତ ସୁଟିଂ ବିଶ୍ୱକପ୍ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ସ୍କିଟ୍ ଇଭେଣ୍ଟରେ ଭାରତକୁ ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ସେହିପରି ମହିଳା ୫୦ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଟିମ୍ ଇଭେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ପୁରୁଷ ସ୍କିଟ୍ ଇଭେଣ୍ଟର ଫାଇନାଲ୍ରେ ୪୬ ବର୍ଷୀୟ ମାଇରାଜ ସର୍ବାଧିକ ୩୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

୧୫) ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ଖୁବଶୀଘ୍ର ଫିଲ୍ମ GOOD LUCK JERRYରେ ନଜର ଆସିବେ । ଫିଲ୍ମର ପ୍ରମୋସନରେ ଜାହ୍ନବୀ ବହୁତ ବିଜି ଅଛନ୍ତି । ନିକଟରେ ସେ ନିଜର ଫିଲ୍ମ ପ୍ରମୋସନରେ ଥିବା ସମୟରେ ଏର ସାକ୍ଷାତକାରରେ କହିଥିଲେ ବହୁତ ସମୟ ଧରି ନିଜ ପରିବାର ସହ ସମୟ କାଟିପାରୁନାହିଁନ୍ତି ।

Comments are closed.