Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମୂଲ୍ୟବୃଦ୍ଧି ଓ ବେରୋଜଗାରୀ ବିରୋଧରେ କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ କଂଗ୍ରେସ ନେତାଙ୍କୁ ଅଟକ ରଖିଛି । ପ୍ରିୟଙ୍କା ବାରିକେ୍ ଉପରେ ଚଢି ଆରପଟକୁ ଯାଇ ଧାରଣା ଦେଇ ବସିଥିବା ବେଳେ ପୋଲିସ ତାଂକୁ ସେଠାରୁ ଜବରଦସ୍ତ ଉଠାଇ ନେଇଛି । ସରକାର, କଳବଳ ଲଗାଇ ଗଣତନ୍ତ୍ରରେ ଦମନଲୀଳା ଚଳାଇଥିବା କହିଛନ୍ତି ରାହୁଲ ଗାନ୍ଧୀ ।

୨) ବଢ଼ିଲା ରେପୋରେଟ୍ । ରେପୋ ହାର ୫୦ ବେସିସ୍ ପଏଣ୍ଟ ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଲଗାତର ତୃତୀୟ ଥର ଲାଗି ରେପୋରେଟ୍ ବୃଦ୍ଧି ପାଇଛି । ତିନି ଦିନର ସମୀକ୍ଷା ପରେ ଆରବିଆଇ ଏହି ପଦକ୍ଷେପ ନେଇଛି । ରେପୋ ରେଟ୍ ୪.୯୦ରୁ ବୃଦ୍ଧି ପାଇ ୫.୪୦ରେ ପହଞ୍ଚିଛି । ଏପରି ଭାବେ ଗତ ୪ ମାସରେ ରେପୋ ରେଟ୍ ୧.୪୦ ପ୍ରତିଶତ ବଢିଛି । ଏହାର ପ୍ରଭାବ ବିଭିନ୍ନ ଲୋନ୍ ଉପରେ ପଡିବ ।

୩) ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣଙ୍କୁ ଗିରଫ କରିଛି । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, OSL ଅପରେସନ୍ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ୍ ମ୍ୟାନେଜର ଶଂଖଶୁଭ୍ର ମିତ୍ରଙ୍କୁ ସିବିଆଇ ଗିରଫ କରିଛି । ଅନ୍ୟପଟେ ସିବିଆଇର ନୋଟିସ୍ ପରେ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର । ଗତକାଲି ସିବିଆଇ କଟକ ଓ ପାରାଦୀପର ଏକାଧିକ ସ୍ଥାନରେ ରେଡ୍ କରିଥିଲା ।

୪) ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । କ୍ରୀଡା ଶିକ୍ଷକ ଜନାର୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଛନ୍ତି ଜନାର୍ଦ୍ଦନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଅନନ୍ତନଗରସ୍ଥିତ ତାଂକ ବାସଭବନ, ପେଟ୍ରୋଲ ପମ୍ପ, ଜୟନ୍ତୀପୁରସ୍ଥିତ ନିଜ ପୈତୃକ ବାସଭବନ ସମେତ ଏକକାଳୀନ ୧୩ଟି ସ୍ଥାନରେ ଚଢାଉ ଚାଲିଛି ।

୫) ସାଲେପୁର କିଶନନଗର ଥାନା ବୋଧପୁର ପଞ୍ଚାୟତ-ନାନପୁର ଗାଁରୁ ୩ ଯୁବକଙ୍କୁ ଉଠାଇ ନେଇଛି ହାଇଦ୍ରାବାଦ ପୋଲିସ । ହାଓଲା ଅର୍ଥ କାରବାର ଅଭିଯୋଗରେ ହାଇଦ୍ରାବାଦ ପୋଲିସ କିଶନନଗର ଅଞ୍ଚଳର ୩ ଯୁବକଙ୍କୁ ଉଠାଇ ନେଇଛି । ସେମାନଙ୍କୁ କିଶନନଗର ଥାନାରେ ରଖି ପଚରାଉଚରା କରୁଛି ପୋଲିସ । ୩ ଯୁବକଙ୍କ ଠାରୁ ଲାପଟପ, ଏଟିଏମ କାର୍ଡ, ମୋବାଇଲ ଫୋନ ଜବତ କରାଯାଇଛି ।

୬) ଡେବ୍ରିଗଡ ଅଭୟାରଣ୍ୟର ଚୌରାସିମାଲ୍ ଅଞ୍ଚଳରୁ ୫ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫଓ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୧୦ଟି ସମ୍ବର ସିଙ୍ଗ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ ପ୍ରଧାନ, ମୁକେଶ ଭୋଇ, ଶାନ୍ତନୁ ସାହୁ । ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫଓ ସୂଚନା ଦେଇଛନ୍ତି ।

୭) ସମ୍ବଲପୁର ସଦର ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ସଦର ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା । ଜ୍ୟୋସ୍ନାରାଣୀଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । ଜଣେ ନାବାଳକକୁ ୬ ଦିନ ଧରି ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଚଷମା ପିନ୍ଧା ଲେଡି ଅଫିସର ବାଡି ଓ ପାଇପ୍ ସାହାଯ୍ୟରେ ନାବାଳକକୁ ପ୍ରତିଦିନ ମାଡ ମାରିଥିଲେ । ଏନେଇ ସିଡବ୍ଲୁସିର ହସ୍ତକ୍ଷେପ ପରେ ପୋଲିସ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।

୮) ଦଳୀୟ ନିର୍ଦ୍ଦେଶ ନମାନି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପ୍ରସଙ୍ଗରେ ନୋଟିସ୍ ପାଇବା ପରେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, ଦଳୀୟ ଫୋରମରେ ଜବାବ ରଖିଛି । ହେଲେ କ’ଣ ଲେଖିଛି ଏବେ ସ୍ପଷ୍ଟ କରିପାରିବି ନାହିଁ । ମୋକିମଙ୍କ ଜବାବ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଉତ୍ତର ମିଳିଛି, କିନ୍ତୁ ମୁଁ ତାକୁ ପଢିନାହିଁ । ଏହାକୁ ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି, ସେ ପ୍ରସଂଗଟିକୁ ବାଆଁରେଇ ଦେଇଛନ୍ତି ।

୯) ହଇଜା ପରେ କରୋନା ଭୟ । କାଶୀପୁରରେ ହଇଜା ଆତଙ୍କ ପରେ ଚନ୍ଦ୍ରପୁର ବ୍ଲକରେ କାୟା ମେଲାଇଛି କରୋନା । ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜର ଓ ଦେହ ଖରାପ ହେବାରୁ ସେମାନଙ୍କ ପରୀକ୍ଷା କରାଯାଇଥିଲା । ଏକାଧିକ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

୧୦) ଚୀନ୍ ଓ ତାଇୱାନ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଭାରତ ବଡ଼ ପଦକ୍ଷେପ ନେଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ, ଡିଆରଡିଓ- ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ବା ATGMର ସଫଳ ପରୀକ୍ଷଣ କରିଛି । ମହାରାଷ୍ଟ୍ର ଅହମ୍ମଦନଗରରେ ଅର୍ଜୁନ ଟ୍ୟାଙ୍କରୁ ଏହି ପ୍ରୟୋଗ କରାଯାଇଥିଲା । ଭାରତୀୟ ସେନାର କେ.କେ.ରେଞ୍ଜରେ କରାଯାଇଥିବା ଏହି ପରୀକ୍ଷଣ, ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି ।

୧୧) ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ । ଗୁରୁବାର ବିଳମ୍ବିତ ରାତ୍ର ୧୨ଟା ୩୮ରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ବୋଲି ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିର ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା, ଆଫଗାନିସ୍ତାନର ଫୈଜାବାଦ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୯ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଖବର ରହିଛି ।

୧୨) ମଦ ଉପରେ ସମ୍ପୂର୍ଣ୍ଣ କଟକଣା ଲଗା ଯାଇଥିବା ବିହାରରେ ପୁଣି ମଦମୃତ୍ୟୁ । ବିହାରର ସରନି ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ମଦ ପିଇ ଅନେକ ଅନ୍ଧ ମଧ୍ୟ ହୋଇ ଯାଇଛନ୍ତି । ଏହାପୂର୍ବରୁ ମଧ୍ୟ ଅଗଷ୍ଟ ୨ ତାରିଖରେ ବିଷାକ୍ତ ମଦ ପାନ କରି ପାନାପୁର ସହରରେ ଦୁଇ ଜଣ ପ୍ରାଣ ହରାଇଥିଲେ । ମାତ୍ର ତିନି ଦିନ ମଧ୍ୟରେ ଏତେ ଜଣଙ୍କର ପ୍ରାଣହାନୀ ଘଟିବା, ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

୧୩) ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶୁକ୍ରବାର ଭାରତର ସୁଧୀର ପାରା ପାୱାର ଲିଫ୍ଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ପ୍ରଥମ ଉଦ୍ୟମରେ ୨୦୮ କେଜି ଓ ଦ୍ୱିତୀୟ ଉଦ୍ୟମରେ, ୨୧୨ କେଜି ଭାର ଉଠାଇ ୧୩୪.୫ ପଏଣ୍ଟ ହାସଲ କରି ନୂତନ ରାଜ୍ୟଗୋଷ୍ଠୀ କ୍ରୀଡା ରେକର୍ଡ କରିଥିଲେ । ଇକେଚୁକ୍ବୁ କ୍ରିଷ୍ଟିଆନ ଓବିଚୁକ୍ବୁ ୧୩୩.୬ ପଂଏଟ ସହ ରୌପ୍ୟ ଏବଂ ମିକି ୟୁଲେ ୧୩୦.୯ ପଏଣ୍ଟ୍ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

୧୪) ଆଜିଠୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ମୌସୁମୀ ନିମ୍ନ ଚାପରେଖା ଯୋଗୁ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ଆସନ୍ତାକାଲିଠାରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୫) ବଲିଉଡରେ ପୁଣିଥରେ ବାଜିବାକୁ ଯାଉଛି ଶାହନାଇ । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିବା ରିଚା ଚଢା ଏବଂ ଅଲି ଫଜଲ୍ ବିବାହ କରିବାକୁ ଯାଉଛନ୍ତି । ରିଚା ଏବଂ ଅଲି ୨୦୨୦ରେ ବିବାହ କରିଥାନ୍ତେ କିନ୍ତୁ କରୋନା ଯୋଗୁଁ ସେମାନେ ତାରିଖ ଘୁଞ୍ଚାଇ ଦେଇଥିଲେ । ପରେ ସେମାନେ ମାର୍ଚ୍ଚ ୨୦୨୨ ରେ ବିବାହ କରିବାର ଥିଲା ଏବେ ସେପ୍ଟେମ୍ବରରେ ପରସ୍ପରର ବାହା ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.