Latest Odisha News

BREAKING NEWS

ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ବର : ଆଜିଠୁ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ  । ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ମେଳାର ଲକ୍ଷ୍ୟ ହେଉଛି ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା । ଏଥି ସହିତ ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି  ।

ଏହା ବ୍ୟତୀତ ଶିକ୍ଷାନୁଷ୍ଠାନଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ କରାଯିବ। ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିପାରିବେ। ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ। ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ। ଏହା ବ୍ୟତୀତ ମିଲେଟ୍‌ ମିଶନ, ଓମ୍‌ଫେଡ୍‌ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ। ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି।

ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ଏହି ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍‌ ଉପଲବ୍ଧ କରାଯାଇଛି। ଏହି ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ। ଏହି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ଆୟୋଜନ କରାଯାଇଥିବା ବେଳେ ମହିଳା କାରିଗର ଓ ବୁଣାକାର ମାନଙ୍କ ନିମନ୍ତେ ମାଗଣା ରହଣି ସୁବିଧା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.