Latest Odisha News

BREAKING NEWS

ଆଜି ଆସିବ ବଜେଟ୍‌, ସବୁବର୍ଗର ଲୋକଙ୍କୁ ଖୁସି କରିପାରନ୍ତି ସରକାର

ନୂଆଦିଲ୍ଲୀ : ଆଜି ଆସିବ ୨୦୨୩ -୨୪  ସାଧାରଣ ବଜେଟ୍‌  । ସଂସଦରେ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ  । ଆଗାମୀ ବର୍ଷରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆଜିର ବଜେଟ ଉପରେ ସାଧାରଣ ଲୋକଙ୍କ ରହିଛି ନଜର  । ଚଳିତ ବଜେଟରେ କେନ୍ଦ୍ର ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷ କରି ଯୁବବର୍ଗ, ଗୃହିଣୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି  ।

ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ରନ୍ଧନ ଗ୍ୟାସ୍, ଡାଲି, ଚାଉଳ, ଗହମ, ଚିନି ଯାଏଁ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦାମ୍  ଉପରମୁହାଁ ହୋଇଛି । ଯାହାକି ସାଧାରଣ ଲୋକଙ୍କ ଖର୍ଚ୍ଚ ବଢ଼ାଇବା ସହ ସଞ୍ଚୟକୁ ସଙ୍କୁଚିତ କରିଛି । ଏଣୁ ଏ ବର୍ଷର ବଜେଟ୍‌ରେ ଦରଦାମ୍ ହ୍ରାସ ଲାଗି ପଦକ୍ଷେପ ଘୋଷଣା କରି ସରକାର ରୋଷେଇ ଘରକୁ ଆଶ୍ୱସ୍ତ ଦେବେ ବୋଲି ଗୃହିଣୀ ଚାହିଁ ବସିଛନ୍ତି ।

ନିର୍ମଳା ସୀତାରମଣ ତାଙ୍କର ପଞ୍ଚମ ବଜେଟ୍ ଏଭଳି ସମୟରେ ଉପସ୍ଥାପନା କରିବାକୁ ଯାଉଛନ୍ତି, ଯେତେବେଳେ ପ୍ରାୟ ସମଗ୍ର ବିଶ୍ୱ ତା’ଙ୍କ ଅର୍ଥବ୍ୟବସ୍ଥାକୁ ନେଇ ସଂଘର୍ଷ କରୁଛି । ତେବେ ଏହି ବଜେଟରେ ଆୟକର ସ୍ଲାବ ପରିବର୍ତ୍ତନ ଦାବିକୁ ପ୍ରାଧାନ୍ୟ ଦିଆଯାଇପାରେ । ଫଳରେ ମଧ୍ୟବିତ ଶେଣୀର ଲୋକଙ୍କୁ ଆଶ୍ୱସ୍ତି ମିଳିବ । ଏହାସହିତ ଗରିବଙ୍କ ଉପରେ ସରକାରୀ ଖର୍ଚ୍ଚ ବଢ଼ାଇବା ସହିତ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ଘୋଷଣା କରାଯାଇପାରେ । ଏଥିସହ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ସେ ବିଶେଷ ଧ୍ୟାନ ଦେଇପାରନ୍ତି

ଏହି ବଜେଟ୍‌ର ପ୍ରଥମ ପର୍ଯ୍ୟାୟ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍‌ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.