କେନ୍ଦୁଝର: ପିକନିକ୍ ଋତୁରେ କେଉଁଠିକୁ ବୁଲିଯବେ ବୋଲି ଚିନ୍ତାରେ ଅଛନ୍ତି କି । ତେବେ ଅଟେଇ ଜଙ୍ଗଲ ସଫାରୀ ମଜା ନେବାକୁ ଆସିଯାଆନ୍ତୁ କେନ୍ଦୁଝର ଜିଲ୍ଲାକୁ । ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଏହା ଅବସ୍ଥିତ । ଅଟେଇ ଜଙ୍ଗଲର ସବୁଜିମା ପରିବେଶ, ଜୈବ ବିବିଧତା, ହିଲ ଭ୍ୟୁ ପର୍ଯ୍ୟଟକଙ୍କୁ ଆକର୍ଷତ କରିଥାଏ । ମା’ ତାରିଣୀଙ୍କ ମନ୍ଦିର ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁ ଜଙ୍ଗଲ ସଫାରୀରେ ବୁଲି ପ୍ରକୃତିର ମଜା ମଧ୍ୟ ନେଇ ପାରିବେ । ତେବେ କେନ୍ଦୁଝର ଜିଲ୍ଲାରେ ଏହା ପ୍ରଥମ ଜଙ୍ଗଲ ସଫାରୀ ଅଟେ।
ଶିମିଳିପାଳ ଏବଂ ସାତକୋଶିଆ ଜଙ୍ଗଲ ମଝିରେ ଏହି ଅଟେଇ ଜଙ୍ଗଲ ରହିଥିବାରୁ ବନ୍ୟଜନ୍ତୁମାନେ ଏଠାରେ ରୁହନ୍ତି । ଜଙ୍ଗଲ ସଫାରୀ ଗାଡ଼ିରେ ମୂର୍ଗାପାହଡ଼ି ନିକଟରେ ପ୍ରବେଶ କରି ୪୦ କିଲୋମିଟର ଯାଏ ଜଙ୍ଗଲ ବୁଲିପାରିବେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଆକର୍ଷିତ କରେ ଅଟେଇ ଜଙ୍ଗଲ ସଫାରୀ ।
ଅଟେଇ ଜଙ୍ଗଲ ସଫାରୀ ବୁଲିବା ପାଇଁ ଟିକେଟ ବୁକିଂ କାଉଣ୍ଟର ମାଆ ତାରିଣୀ ମନ୍ଦିର ପରିସରରେ ରହିଛି । ଜଙ୍ଗଲ ସଫାରୀ ଗାଡ଼ିରେ ୪୦ କିଲୋମିଟର ଜଙ୍ଗଲ ବୁଲି ପାରିବେ । ପାଖାପାଖି ତିନି ଘଣ୍ଟାର ଯାତ୍ରା କରିବେ ପର୍ଯ୍ୟଟକ। ଆପଣ ଟିକେଟ ବୁକିଂ ସକାଳ ୬ ଟାରୁ ୯:୩୦ ମଧ୍ୟରେ କରିପାରିବେ । ଟିକେଟ ମୂଲ୍ୟ ନନ୍ ଏ.ସି ଗାଡ଼ି ପାଇଁ ୨୦୦ ଟଙ୍କା ଏବଂ ଏ.ସି ଗାଡ଼ି ପାଇଁ ୨୫୦ ଟଙ୍କା ରଖାଯାଇଛି । ସଫାରୀ ଗାଡ଼ିରେ ବସି ପର୍ଯ୍ୟଟକ ଜଙ୍ଗଲ ଭିତରେ ମୟୂର ଭ୍ୟାଲି, ୱାଚ୍ ଟାୱାର, ଭିଉ ପଏଣ୍ଟ ଏବଂ ଦରଗଡଶିଳା ଡ୍ୟାମ୍ ଦେଖିପାରିବେ ।
ସଫାରୀ ବୁଲିବା ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଛି । ଯେମିତିକି ସଫାରୀ ସମୟରେ ଗାଡ଼ିରେ ପର୍ଯ୍ୟଟକଙ୍କ ସହିତ ବନ ବିଭାଗ କର୍ମଚାରୀ ମୁତୟନ ରହିବେ । କେନ୍ଦୁଝର ବନଖଣ୍ଡର ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ ଅଟେଇ ଜଙ୍ଗଲ ବୁଲିବା ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇଯିବ ।