ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାର ଜୟପୁରଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି) ଉଦଘାଟନ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଛି । ନିରାପତ୍ତା, ଦକ୍ଷତା ବୃଦ୍ଧି ଏବଂ କୌଶଳର ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ।
ଟିପିଏସ୍ଓଡିଏଲର ସୁରକ୍ଷା ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଟିଏସଏସଡିଆଇ) ଅଧୀନରେ ପ୍ରତିଷ୍ଠିତ ଏଚଓଟିଟି କେନ୍ଦ୍ର କମ୍ପାନୀର “ମିଶନ ଜିରୋ ହାର୍ମ” ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ଏହି କେନ୍ଦ୍ର କମ୍ପାନୀର ଉଚ୍ଚ କୁଶଳୀ ତଥା ଦକ୍ଷ, ସୁରକ୍ଷା-ସଚେତନତା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶ୍ରମଶକ୍ତି ଗଠନ ଦିଗରେ ଥିବା ଆଭିମୁଖ୍ୟକୁ ପ୍ରଦର୍ଶିତ କରେ ।
ଏହି କେନ୍ଦ୍ର କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ପରିକଳ୍ପନା କରାଯାଇଛି । ଏଥିରେ ଶ୍ରେଣୀଗୃହ ଶିକ୍ଷା ଏବଂ ବ୍ୟାବହାରିକ ଜ୍ଞାନକୌଶଳ ବାବଦରେ ବ୍ୟବସ୍ଥା ରଖାଯାଇଛି । ପ୍ରଶିକ୍ଷଣ ମଡେଲ ରିଏଲ ଟାଇମ ତଥା କାର୍ଯ୍ୟକ୍ଷେତ୍ରର ଅନୁଭବ ପ୍ରଦାନ କରିବ ଏବଂ ହ୍ୟାଣ୍ଡସ-ଅନ୍ ବୈଷୟିକ ଅଭ୍ୟାସ ଉପରେ ଗୁରୁତ୍ୱ ଦେବାରେ ବିଶେଷ ଭାବରେ ସହାୟକ ହେବ ।
ଏଚଓଟିଟି କେନ୍ଦ୍ରରେ ଏକ ଅତ୍ୟାଧୁନିକ ପ୍ରାନ୍ତର ରହିଛି ଯେଉଁଠାରେ କର୍ମଚାରୀମାନେ ଅଭ୍ୟାସ କରିବାର ବ୍ୟବସ୍ଥା ରହିଛି । ଏଥିସହିତ ଲୋ ଟେନସନ୍ (ଏଲଟି) ଏବଂ ହାଇ ଟେନସନ (ଏଚଟି) ନେଟୱାର୍କର ପ୍ରତିକୃତି ମଧ୍ୟ ଏଥିରେ ସ୍ଥାନ ପାଇଛି । ଏହି ଭିତ୍ତିଭୂମି ଲାଇନମ୍ୟାନ୍ ଏବଂ ଟେକ୍ନିକାଲ ଷ୍ଟାଫ୍ ମାନଙ୍କୁ କାର୍ଯ୍ୟ କରିବା ପୂର୍ବରୁ ଏକ ନିରାପଦ ଏବଂ ନିୟନ୍ତ୍ରିତ ପରିବେଶରେ ଉପକରଣ ପରିଚାଳନା ଏବଂ ସୁରକ୍ଷିତ ଭାବରେ କାର୍ଯ୍ୟ ସମ୍ପାଦନ କରିବା ଦିଗରେ ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରଦାନ କରିବ ।
ଏଥିସହିତ ଏହି କେନ୍ଦ୍ର ଆରଏମୟୁ ଅପରେସନ, ଅଟୋ-ରିକ୍ଲୋଜର ହ୍ୟାଣ୍ଡଲିଂ, ସେକ୍ସନାଲାଇଜର ଅପରେସନ, ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ରକ୍ଷଣାବେକ୍ଷଣ, ଉପଯୁକ୍ତ ଆର୍ଥିଂ କୌଶଳ ଏବଂ ଇନସୁଲେସନ ପ୍ରତିରୋଧ ପରୀକ୍ଷଣକୁ ଅନ୍ତର୍ଭୁକ୍ତ କରୁଥିବା ବିସ୍ତୃତ ମଡ୍ୟୁଲ୍ ପ୍ରଦାନ କରେ । ଏତଦ୍ ଭିନ୍ନ, ଏଚଓଟିଟି ସେଣ୍ଟରରେ ଏକ ଉତ୍ସର୍ଗୀକୃତ ଟିଏସଏସଡିଆଇ ଶ୍ରେଣୀଗୃହ, ସମ୍ମିଳନୀ କକ୍ଷ, ବୈଦ୍ୟୁତିକ ଉପକରଣ ରେ ସଜ୍ଜିତ ଗ୍ୟାଲେରୀ ଏବଂ ଅଭ୍ୟାସ କରିବା ପାଇଁ ଏକ ପ୍ରାଙ୍ଗଣ ରହିଛି । ଯାହା ବୈଷୟିକ ଶିକ୍ଷାକୁ ସମର୍ଥନ କରେ । ଏଠାରେ ଏକ ପେସାଦାର ଏବଂ ପ୍ରଭାବଶାଳୀ ତାଲିମ ବାତାବରଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅତ୍ୟାବଶ୍ୟକ ସୁବିଧାକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏଚଓଟିଟି ସେଣ୍ଟରର ସମସ୍ତ କାନ୍ଥରେ ସୁରକ୍ଷା ସଚେତନତା ଦିଗରେ ଚିତ୍ର ପ୍ରଦର୍ଶନ କରାଯାଇଛି । ଏଥିସହିତ ଦୃଶ୍ୟ ଯୋଗାଯୋଗ ବୋର୍ଡ ଏବଂ ବିଭିନ୍ନ ନିର୍ଦ୍ଦେଶାବଳୀର ପ୍ରଦର୍ଶନ କରାଯାଇଛି । ଏସବୁ ଏକ ନିରାପଦ କାର୍ଯ୍ୟ ଅଭ୍ୟାସକୁ ଦୃଢ କରିଥାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତରଦାୟିତ୍ୱର ସଂସ୍କୃତିକୁ ଖୋରାକ ଯୋଗାଇଥାଏ।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସୁରକ୍ଷା ଏବଂ ଦକ୍ଷତା ହେଉଛି ଟିପିଏସ୍ଓଡିଏଲର କାର୍ଯ୍ୟଧାରାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜୟପୁର ଏଚଓଟିଟି କେନ୍ଦ୍ର ଆମର କାର୍ଯ୍ୟଶକ୍ତିରେ ଏକ ରଣନୀତିକ ନିବେଶକୁ ପ୍ରତିନିଧିତ୍ୱ କରେ । ଏଭଳି ପରିବେଶରେ ସଂରଚନା, ବ୍ୟବହାରିକ ଜ୍ଞାନ ପ୍ରଦାନ, ବୈଷୟିକ ଦକ୍ଷତା ଆଦି ଦିଗରେ ଦିଆଯାଉଥିବା ପ୍ରଶିକ୍ଷଣ ଆମର ଜିରୋ ହାର୍ମ ମିଶନ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଏ । ଆମର ଉଦ୍ଦେଶ୍ୟ ସ୍ପଷ୍ଟ – ଏକ ଆତ୍ମବିଶ୍ୱାସୀ, ଦକ୍ଷ ଦଳ ଗଠନ କରିବା ଯାହା ସୁରକ୍ଷାକୁ ଧ୍ୟାନ ଦେଇ ଭରସାଯୋଗ୍ୟ ବିଜୁଳି ପ୍ରଦାନ ଦିଗରେ ବିଶେଷ ଭାବରେ ସହାୟକ ହେବ ।“
ଜୟପୁରରେ ଏହି ସୁବିଧା କାର୍ଯ୍ୟକ୍ଷମ ହେବା ପରେ, ଟିପିଏସ୍ଓଡିଏଲ୍ ବର୍ତ୍ତମାନ ଏହାର ଲାଇସେନ୍ସ ପ୍ରାପ୍ତ ଅଞ୍ଚଳରେ ୧୬ଟି ଟିଏସଏସଡିଆଇ କେନ୍ଦ୍ର ଏବଂ ତିନୋଟି ଉନ୍ନତ ଏଚଓଟିଟି କେନ୍ଦ୍ର ପରିଚାଳନା କରୁଛି। ବ୍ରହ୍ମପୁର ଏବଂ ଫୁଲବାଣିରେ ଥିବା ପୂର୍ବ ଏଚଓଟିଟି କେନ୍ଦ୍ରଗୁଡ଼ିକ ନିଜ ନିଜ ଅଞ୍ଚଳରେ ଏହି ସୁବିଧା ପ୍ରଦାନ କରିବା ଜାରି ରଖିଛନ୍ତି । ଏ ଦିଗରେ ଜୟପୁରଠାରେ ଏଚଓଟିଟି କେନ୍ଦ୍ର ସ୍ଥାପନ ଟିପିଏସଓଡିଏଲର ଦୃଢ ତାଲିମ ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଦିଗରେ ବିଶେଷ ଭାବରେ ସହାୟକ ହେବ ।
ସୁରକ୍ଷା ଭିତ୍ତିଭୂମି, ଏବଂ କର୍ମଚାରୀଙ୍କ ନିରାପତ୍ତା ଦିଗରେ ନିବେଶ, ଟିପିଏସ୍ଓଡିଏଲ୍ ର ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ଦକ୍ଷ ମାନଦଣ୍ଡ ସ୍ଥିର କରିବାରେ ସହଯୋଗ କରିବ । ଏଥିସହିତ ସମଗ୍ର ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ଲକ୍ଷ୍ୟ ରଖିଛି ଓ ଏଥିପାଇଁ ପ୍ରତିବଦ୍ଧ ଅଟେ । ଉଦଘାଟନୀ ଉତ୍ସବରେ ଟିପିଏସ୍ଓଡିଏଲର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।