ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ପାଇଁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ ସ୍ନେହା ସହାୟତାରେ ଘୁମୁସର ଉତ୍ତର ବନଖଣ୍ଡରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକ୍ଷମ କରାଯାଇଛି। ହାତୀଙ୍କୁ ବିଦ୍ୟୁତ ଆଘାତରୁ ଦୂରେଇ ରଖିବା, ଏ ସଂକ୍ରାନ୍ତୀୟ ସଚେତନତା ବୃଦ୍ଧି କରିବା, ଓ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଲକ୍ଷ୍ୟରେ ଏପରି ସମୟ ଉପଯୋଗୀ ପଦକ୍ଷେପ ନିଆଯାଇଛି। ପ୍ରକଳ୍ପ ମାଧ୍ୟମରେ ଜୈବ ବିବିଧତା ସଂରକ୍ଷଣ ଓ ଦାୟିତ୍ୱବାନ ସଂପ୍ରଦାୟ ଗଠନ କ୍ଷେତ୍ରରେ ଟିପିଏସ୍ଓଡିଏଲ ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିଛି।
ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ ମାଝଗଡ଼ା, ତାରାସିଂ, ଗାଲେରୀ ଓ ଜଗନ୍ନାଥପ୍ରସାଦ ଜଙ୍ଗଲ ରେଞ୍ଜରେ ପ୍ରାଥମିକ ଭାବେ ଗଜ ସଂରକ୍ଷଣ କାର୍ଯ୍ୟ କରିବ। ଏହି ସବୁ ଅଞ୍ଚଳରେ ହାତୀଙ୍କ ଗତିବିଧି ଦେଖିବାକୁ ମିଳିଥାଏ। ଏଣୁ ହାତୀଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରତିକ୍ରିୟାଶୀଳ ସୁରକ୍ଷା ପ୍ରଣାଳୀ ସାଙ୍ଗକୁ ଦୁର୍ଘଟଣା ରୋକିବା ନିମନ୍ତେ ହାଇବ୍ରିଡ୍ ମଡେଲ୍ ବିକାଶ କରାଯାଇଛି।
ବିଦ୍ୟୁତକୁ ନେଇ ବିପଦ ଥିବା ୧୧୪ଟି ସ୍ଥାନ ଚିହ୍ନଟ କରାଯାଇଛି। ସଂପୃକ୍ତ ସ୍ଥାନଗୁଡ଼ିକରେ କମ୍ପାନୀ ପକ୍ଷରୁ ବିଜୁଳି ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ସେହିଭଳି ବନ ବିଭାଗ ନିକଟରେ ଥିବା ଗ୍ରାମଗୁଡ଼ିକରେ କାନ୍ଥ ଚିତ୍ରକଳା, ପଥପ୍ରାନ୍ତ ନାଟକ, ଗ୍ରାମସ୍ତରୀୟ ସଭା, ତଥା ଗୋଷ୍ଠୀ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ବନ୍ୟଜନ୍ତୁ ଓ ମନୁଷ୍ୟ କିଭଳି ସହାବସ୍ଥାନ କରିପାରିବେ ସେନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।
ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ଭାବ୍ୟ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ ଓ ସୁରକ୍ଷିତ କରିବା ସହ ପ୍ରାୟ ୧୯୦ କିଲୋମିଟର ଖୋଲା ତାରକୁ ଆବଦ୍ଧ ବିଦ୍ୟୁତ ତାରରେ ପରିବର୍ତ୍ତିତ କରିଛି। ସେହିଭଳି ଖୁଣ୍ଟ ଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ନିମନ୍ତେ ଏକ ହଜାରରୁ ଅଧିକ ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇଛି।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ – ଜୈବ ବିବିଧତା ସଂରକ୍ଷଣ ଓ ଗୋଷ୍ଠୀ କଲ୍ୟାଣ ନିମନ୍ତେ ଗଜ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଜଙ୍ଗଲ ବିଭାଗ ଓ ସ୍ଥାନୀୟ ସଂପ୍ରଦାୟ ସହଭାଗିତାରେ କାର୍ଯ୍ୟ କରି ଆମେ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ଦିଗରେ ଉଦ୍ୟମ କରୁଛୁ । ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ସହ ମଣିଷ ଓ ବନ୍ୟଜନ୍ତୁଙ୍କ ସହ ଅବସ୍ଥାନ ନିମନ୍ତେ ଆମେ ପ୍ରତିବଦ୍ଧ ଅଟୁ।
ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି ଯେ ଟିପିଏସ୍ଓଡିଏଲ୍ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ । କମ୍ପାନୀର ସହଭାଗିତାରେ ଆମେ ପ୍ରକଳ୍ପର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବୁ । ଯାହା ଫଳରେ ସଂଘର୍ଷ ଏଡ଼ାଇ ହେବ। ଟିପିଏସ୍ଓଡିଏଲର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଡିସକମର ସିଏସ୍ଆର୍ ମୁଖ୍ୟ ପ୍ରଦୀପ ଘୋଷାଲ, ଭଞ୍ଜନଗର ସର୍କଲ ମୁଖ୍ୟ ଅଭିଜିତ ପାଢ଼ୀ, ଟିପିଏସ୍ଓଡିଏଲର ସିଏସଆରର ମୁଖ୍ୟ ଦିଲ୍ଲୀପ କୁମାର ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏବଂ ସ୍ନେହ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
Comments are closed.