Latest Odisha News

BREAKING NEWS

ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା, ସାମ୍ୟବାଦୀ ଚିନ୍ତକ ତଥା ସାହିତ୍ୟିକ ସୌରୀବନ୍ଧୁ କରଙ୍କର ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି ।

ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ ଗୁରୁବାରଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
୧୯୪୮ ମସିହା ଏପ୍ରିଲ ୨ ତାରିଖରେ ଯାଜପୁର ଖଣ୍ଡିତର ଗାଁରେ ଜନ୍ମିତ ସୌରୀବନ୍ଧୁ କାନାରା ବ୍ୟାଙ୍କରୁ ଅଧିକାରୀ ଭାବେ ଅବସର ନେଇଥିଲେ । ସେ ସର୍ବଭାରତୀୟ ବ୍ୟାଙ୍କର୍ସ ଅଫିସର୍ସ ଆସୋସିଏସନର ସଭାପତି ଥିଲେ । ଏଥି ସହ ଏଆଇଟିୟୁସି ଓ ସିପିଆଇର ସଦସ୍ୟ ଭାବେ କାମ କରିଥିଲେ ।

ସାହିତ୍ୟିକ ହିସାବରେ ବି ସେ ବେଶ୍ ନାଁ କରିଥିଲେ । ତାଙ୍କ ରଚିତ ଗଳ୍ପ, କବିତା ଓ ଅନୁବାଦଗୁଡିକ ବେଶ୍ ଉଚ୍ଚକୋଟୀର ଥିଲା । ତାଙ୍କ ରଚିତ ବହିଗୁଡିକ ମଧ୍ୟରେ ମାନବାତାର ମହାନ ତୀର୍ଥ, ପରମହଂସ ରାମକୃଷ୍ଣ, ରଷ୍ଟ୍ରନିର୍ମାତା ନେହେରୁ, ନିଷ୍ପ୍ରଭ ଏକଲବ୍ୟ, ନରୋତ୍ତମ ଷଡଙ୍ଗୀର ଡାଏରୀ ଦେଶପ୍ରେମୀ ସ୍ୱାମୀ ବିବେକାନନ୍ଦ, ବାବା ସାହେବ ଆମ୍ବେଦକର ଇତ୍ୟାଦି । ତାଙ୍କ ସାହିତ୍ୟକୃତି ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏଥି ସହ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି ।

ତାଙ୍କ ବଡ ପୁଅ ସୌଭାଗ୍ୟ କର ନୂଆଦିଲ୍ଲୀରେ ଭାରତୀୟ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମଝିଆ ପୁଅ ସିଦ୍ଧାର୍ଥ ଓକିଲ । ଏକମାତ୍ର ଝିଅ ସୁପ୍ରିୟା ଜଣେ ଅନୁବାଦିକା ଆସନ୍ତା ବୁଧବାର ତାଙ୍କ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି ।

Leave A Reply

Your email address will not be published.