Latest Odisha News

BREAKING NEWS

ଏକାମ୍ର ରେ ଦୋଳ ପରମ୍ପରା…

ଭୁବନେଶ୍ଵର: ଦୋଳ ଉତ୍ସବ ଓଡ଼ିଆ ଜାତିର ନିଜସ୍ୱ ଉତ୍ସବ। ସାରା ଭାରତ ରେ କେବଳ ହୋଲିକା ଦହନ ଓ ହୋଲି ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ହୋଲିକା ଦହନ, ଦୋଳ ପୁର୍ଣ୍ଣିମା ଓ ହୋଲି ବିପୁଳ ଉତ୍ସାହରେ ପାଳନ କରାଯାଇଥାଏ । ଦୋଳ ଓ ହୋଲି ଗାଁ ଗାଁ ରେ ଏକ ଉତ୍ସବ ର ବାତାବରଣ ସୃଷ୍ଟି କରିଥାଏ । ଓଡ଼ିଶାରେ ଦୋଳ ଉତ୍ସବ ଫଗୁ ଦଶମୀ ରୁ ଆରମ୍ଭ ହୋଇ ହୋଲି ରେ ସମାପ୍ତ ହୋଇଥିବା ବେଳେ ଅନେକ ସ୍ଥାନରେ ପଞ୍ଚୁଦୋଳ ପର୍ଯ୍ୟନ୍ତ ମହାଆଡମ୍ବର ସହିତ ପାଳନ କରାଯାଏ । ଦୋଳ ଉତ୍ସବ ଏକ ବୈଷ୍ଣବ ପରମ୍ପରା । ତେଣୁ ଶୈବ ପୀଠ ଏକାମ୍ର ରେ ଏହା ମହତ୍ୱ ସ୍ୱତନ୍ତ୍ର । ଚକ୍ର କ୍ଷେତ୍ର, ଏକାମ୍ର କ୍ଷେତ୍ର ହରିହରଙ୍କ ପୀଠ । ଶୈବ ଓ ବୈଷ୍ଣବ ଧର୍ମ ସମନ୍ୱୟର ପୀଠ । ଏକାମ୍ରରେ ଶ୍ରୀ ଲିଙ୍ଗରାଜ କ୍ଷେତ୍ରାଧିପତି ଭାବରେ ପୂଜିତ ହେଉଥିବା ବେଳେ ଶ୍ରୀ ବାସୁଦେବ ହେଉଛନ୍ତି ଏକାମ୍ର କ୍ଷେତ୍ରର କ୍ଷେତ୍ରରକ୍ଷକ । ଶ୍ରୀ ଲିଙ୍ଗରାଜ ମନ୍ଦିର ଦଶମ ଶତାବ୍ଦୀର ହୋଇଥିବା ବେଳେ ଶ୍ରୀ ଅନନ୍ତବାସୁଦେବ ମନ୍ଦିର ତ୍ରୟୋଦଶ ଶତାବ୍ଦୀର ଅଟେ । ଲିଙ୍ଗରାଜ ମନ୍ଦିର ପୂର୍ବାଭିମୁଖୀ ହୋଇଥିବା ବେଳେ ଅନନ୍ତ ବାସୁଦେବ ମନ୍ଦିର ପଶ୍ଚିମାଭିମୁଖୀ ଅଟେ ।

ଏକାମ୍ର ରେ ଦୋଳ ଉତ୍ସବ ଅନ୍ୟ ସ୍ଥାନ ମାନଙ୍କ ପରି ଫଗୁ ଦଶମୀ ରୁ ଆରମ୍ଭ ହୋଇ ଦୋଳ ପୁର୍ଣ୍ଣିମାରେ ଶେଷ ହୋଇଥାଏ । ଫଗୁ ଦଶମୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ପ୍ରତିଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ୱରୀ ଓ ପ୍ରଭୁ ବାସୁଦେବଙ୍କ ସହ ବିମାନ ଓ ପାଲିଙ୍କି ରେ ଚାଚେରୀ ଭୋଗ ପାଇଁ ବିଭିନ୍ନ ସାହି ତଥା ପୀଠ କୁ ଯାଇଥାନ୍ତି । ଚତୁର୍ଦଶୀ ଦିନ ଚାଚେରୀ ଭୋଗ ସାରି ଫେରିବା ସମୟ ରେ ମହାପ୍ରଭୁ ହୋଲିକା ଦହନ ଅଗ୍ନି ଉତ୍ସବ ରେ ଭାଗ ନେଇ ତିନି ଥର ଅଗ୍ନି ପ୍ରଦକ୍ଷିଣ କରି ମନ୍ଦିର ପ୍ରତ୍ୟାବର୍ତନ କରିଥାନ୍ତି । ତ୍ରୟୋଦଶୀ ଦିନ ମଧ୍ୟ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଆସିଥିବା କାଠ ପୂଜା କରାଯାଇ ଦୋଳ ପୂର୍ଣ୍ଣିମା ଦିନ ରଥ କାମ ଆରମ୍ଭ କରାଯାଏ । ଦୋଳ ପୁର୍ଣ୍ଣିମା ଦିନ ଭୋଗମଣ୍ଡପ ସରିବା ପରେ ଶ୍ରୀ ଚନ୍ଦ୍ରଶେଖର ମା ଭୁବନେଶରୀ, ମା ପାର୍ବତୀ ଓ ଶ୍ରୀ ଦୋଳ ଗୋବିନ୍ଦ ପହଣ୍ଡି ହୋଇ ଦୋଳ ବେଦୀ କୁ ବିଜେ କରନ୍ତି । ରଥଖଳା ରାସ୍ତାର ଦୁଇ ପାଖରେ ଥିବା ଦୁଇଟି ଦୋଳ ବେଦୀ ରେ ଠାକୁର ମାନେ ଉପଵେଶନ କରି ଅଭିର ଖେଳିଥାନ୍ତି ।

ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ ଓ ଦେବୀ ଭୁବନେଶ୍ୱରୀ ଉତ୍ତରାଭିମୁଖୀ ଦୋଳବେଦୀରେ ପୂଜା ପାଉଥିବାବେଳେ ଶ୍ରୀ ଦୋଳ ଗୋବିନ୍ଦ (ଚତୁର୍ଭୁଜ ନାରାୟଣ ବିଗ୍ରହ) ଦକ୍ଷିଣାଭିମୁଖୀ ଦୋଳ ବେଦିରେ ଦୋଳ ଯାତ୍ରା କରନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଦୋଳ ଗୋବିନ୍ଦ ଏଠାରେ ଏକାକୀ ଭକ୍ତ ମାନଙ୍କ ସହ ଅବିର ଖେଳନ୍ତି । ତାଙ୍କ ସହିତ ଶ୍ରୀ ରାଧା ବା ମା ମହାଲକ୍ଷ୍ମୀ କେହି ନ ଥାନ୍ତି । ଏହାହିଁ ହେଉଛି ଏଠାର ବିଶେଷତ୍ୱ । ସନ୍ଧ୍ୟାରେ ଉଭୟ ଦୋଳ ବେଦିରେ ଦେଉଳ ଜ୍ୟୋତିଷ ନୂଆ ପାଞ୍ଜି ପଢ଼ନ୍ତି । ସନ୍ଧ୍ୟା ଧୂପ ପରେ ଆତସ ବାଜି ପ୍ରଦର୍ଶନ ସହ ଠାକୁର ମାନେ ମନ୍ଦିର କୁ ପ୍ରତ୍ୟାବର୍ତନ କରନ୍ତି । ଭେଟ ଆଳତୀ ପାଇଁ ଶ୍ରୀ ଚନ୍ଦ୍ରଶେଖର, ମା ପାର୍ବତୀ ଓ ମା ଭୁବନେଶ୍ୱରୀ ଶ୍ରୀ ଲିଙ୍ଗରାଜଙ୍କ ଗର୍ଭ ଗୃହ କୁ ପ୍ରବେଶ କରିବା ପୂର୍ବରୁ ଦୋଳ ଗୋବିନ୍ଦଙ୍କ ସହ ବଚନିକା ହୋଇ ଅଶୋକଷ୍ଟମୀ ଯାତ୍ରା ଆୟୋଜନ ଦାୟିତ୍ୱ ରାଜା ଙ୍କୁ ଅର୍ପଣ କରାଯାଇଥାଏ । ଏହା ସହିତ ଲିଙ୍ଗରାଜ ଙ୍କ ଦୋଳ ଉତ୍ସବ ସମାପ୍ତ ହୋଇଥାଏ ।

ଶ୍ରୀ ଲିଙ୍ଗରାଜଙ୍କ ବାର ମାସରେ ଚଉଦ ଯାତ୍ରା ମଧ୍ୟରୁ ସବୁଯାତ୍ରାରେ ବାସୁଦେବ ତାଙ୍କ ସହ ଯାତ୍ରା କରନ୍ତି । କିନ୍ତୁ କେବଳ ଦୋଳ ଓ ଅଶୋକଷ୍ଟମୀ ଯାତ୍ରାରେ ଦୋଳ ଗୋବିନ୍ଦ ଲିଙ୍ଗରାଜଙ୍କ ସହ ଯାଇଥାନ୍ତି । ଶ୍ରୀ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ର ରେ ବ୍ରାହ୍ମଣ ନିଯୋଗ ଆନୁକୂଲ୍ୟରେ ଦୋଳ ଯାତ୍ରା ମଧ୍ୟ ପାଳନ କରାଯାଇଥାଏ ବୈତାଳ ମନ୍ଦିର ନିକଟରେ ଥିବା ଦୋଳ ବେଦୀ ରେ ରାଧା କୃଷ୍ଣ ଙ୍କ ବିଗ୍ରହ ଦୋଳି ରେ ଉପଵେଶନ କରି ଅବିର ଖେଳିଥାନ୍ତି । ଫଗୁ ଦଶମୀ ଠାରୁ ଠାକୁର ସାହି ବୁଲି ଚାଚେରୀ ଭୋଗ ଖାଇଥାନ୍ତି । ଲିଙ୍ଗରାଜଙ୍କ ପାଖରେ ପାଞ୍ଜି ପଢା ଯିବା ପରେ ଦୋଳ ପୂର୍ଣ୍ଣିମା ଦିନ ଏଠାରେ ମଧ୍ୟ ଜ୍ୟୋତିଷ ଆସି ପାଞ୍ଜି ପଢିଥାନ୍ତି । ଲିଙ୍ଗରାଜ ଙ୍କ ଦୋଳ ଯାତ୍ରା ଦୋଳ ପୂର୍ଣ୍ଣିମା ଦିନ ଶେଷ ହେଉଥିବା ବେଳେ ବ୍ରାହ୍ମଣ ନିଯୋଗ ଦୋଳ ଠାକୁର ହୋଲି ଦିନ ସଦ୍ଧ୍ୟା ରେ ରଙ୍ଗ ଖେଳ ସହ ବିରାଟ ପଟୁଆର ରେ ଯାଇ ଲିଙ୍ଗରାଜ ମନ୍ଦିର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ଭୋଗ ଗ୍ରହଣ କରିବା ପରେ ବୈତାଳ ମନ୍ଦିର ସ୍ଥିତ ନିଜ ଆସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରନ୍ତି।

 

Leave A Reply

Your email address will not be published.