ଭୁବନେଶ୍ୱର: ସଂଧ୍ୟା ହେଲେ ରାଜଧାନୀ ଓ କଟକ ଭିତରେ ଯିବା ଆସିବା କରିବା କାଠିକର। ଯାହା ଦୁଇ ସହର ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍ ସମସ୍ୟାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏବେ ଏହାର ସମାଧାନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସନ୍ଧ୍ୟାରେ ଦୁଇ ସହରରେ ମାଲବାହୀ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ସୋମବାର ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶରେ କହୁଯାଇଛି, ଛଅ ଚକିଆ ଟ୍ରକ ଏବଂ ଏହାଠୁ ବଡ ଟ୍ରକ ସମେତ ମାଲବାହୀ ଗାଡିଙ୍କୁ ଭୁବନେଶ୍ୱର ଏବଂ କଟକ ସହର ସୀମା ମଧ୍ୟରେ ସନ୍ଧ୍ୟାରେ ଅଢ଼େଇ ଘଣ୍ଟା ପାଇଁ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
ପିତାପଲ୍ଲୀରୁ ଭୁବନେଶ୍ୱର ଓ ମଙ୍ଗୁଳିରୁ କଟକ ଆଡ଼କୁ ଆସୁଥିବା ଏହି ଗାଡ଼ିଗୁଡ଼ିକ ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏଁ ସହର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। କିନ୍ତୁ ସେହି ଗାଡ଼ିଗୁଡ଼ିକୁ କମିସନରେଟ୍ ପୁଲିସ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ନେବାକୁ ପଡ଼ିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଟ୍ୱିନସିଟି ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସନ୍ଧ୍ୟା ସମୟରେ ପ୍ରବଳ ଯାନବାହାନ ଚଳାଚଳ ହୋଇଥାଏ। ଆଗକୁ ପାର୍ବଣ ଋତୁ ଥିବାରୁ ପୁଲିସ କମିସନରେଟ୍ ପୁଲିସ ସ୍ଥିତି ବିଗିଡ଼ିବା ଆଶଙ୍କା କରି କଟକଣା ଜାରି କରିଛି।
Comments are closed.