Latest Odisha News

BREAKING NEWS

ଟ୍ରାଫିକ୍ ଜୋରିମାନାକୁ ନେଇ ରାଜଧାନୀରେ ତାତିଲେ ଜନସାଧାରଣ, ପୋଲିସର ଲାଠିଚାର୍ଜ !

ଭୁବନେଶ୍ୱର: ଟ୍ରାଫିକ୍ ଜୋରିମାନାକୁ ନେଇ ଆଜି ରାଜଧାନୀରେ ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଯାହା ଜଣାପଡୁଛି, ଏହି ନୂଆ ଟ୍ରାଫିକ ନିୟମ ଯୋଗୁଁ ଚାଲାଣ ଆଦାୟରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହା ପ୍ରଶାସନ ପ୍ରତି ବୁମେରାଂ ସାଜିଛି ।

ମିଳିଥିବା ସୂଚନାନୁଯାୟୀ, ରାଜଧାନୀର ବ୍ୟସ୍ତବହୁଳ ରାଜମହଲ ଛକଠାରେ ଟ୍ରାଫିକ୍ ପୋଲିସ ଏବଂ ଏମଭିଆଇଙ୍କ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ସେଠାରେ ଏକ ‘ମୋ ବସ୍’, ଏକ ପୋଲିସ ଭ୍ୟାନ ଏବଂ ଏକ ବିଏମସି ଗାଡ଼ିକୁ ମଧ୍ୟ ଚେକିଂ କରିବାକୁ ସ୍ଥାନୀୟ ଜନସାଧାରଣ ଜିଦ୍ ଧରିବସିଥିଲେ । ଏହାଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସେଠାରେ ଥିବା ଏକ ‘ମୋ ବସ୍’ର ଡ୍ରାଇଭର୍ ସିଟ୍ ବେଲ୍ଟ ପିନ୍ଧିନଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏପରିକି ଏହି ସରକାରୀ ବସରେ ଯେତେ ସଂଖ୍ୟକ ଯାତ୍ରୀ ରହିବା କଥା ତା’ଠାରୁ ଯଥେଷ୍ଟ ଅଧିକ ମାତ୍ରାରେ ଏହି ବସରେ ଯାତ୍ରୀ ରହିଥିବା ଲୋକେ ଦେଖି ଉତ୍ୟକ୍ତ ହୋଇଥିଲେ । ସେଠାରେ ଟ୍ରାଫିକ୍ ପୋଲିସକୁ ଏହା ଜଣାଇଥିଲେ ମଧ୍ୟ ସେଥିପ୍ରତି କର୍ଣ୍ଣପାତ କରିନଥିଲେ ଯାଞ୍ଚ ଅଧିକାରୀ । ଏହାଫଳରେ ଉପସ୍ଥିତ ଜନସାଧାରଣ ଉତ୍ୟକ୍ତ ହୋଇ ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ । ସେଠାରେ ଥିବା ଏକ ପୋଲିସ ଭ୍ୟାନର କାଗଜପତ୍ର ଠିକ୍ ରହିଛି କି ନାହିଁ ତାହାର ଯାଞ୍ଚ କରିବାକୁ ତୁରନ୍ତ ଅଡ଼ି ବସିଥିଲେ ସ୍ଥାନୀୟ ଲୋକେ ।

ରାଜମହଲ ଛକରେ ପ୍ରାୟ ଏକ ଘଣ୍ଟାଧରି ଉତ୍ତେଜନା ପ୍ରକାଶ ପାଇବାରୁ ସେଠାରେ ଟ୍ରାଫିକ୍ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏହାଫଳରେ ଯାନବାହନ ଭିଡ଼ ହୋଇ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉତିବା ବେଳେ ପୋଲିସକୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡ଼ିଥିଲେ । ରାଜମହଲ ଛକରେ କିଛି ସମୟ ଲାଗି ଲଙ୍କାକାଣ୍ଡ ଚାଲୁ ରହିଥିଲା ବେଳେ ପୋଲିସ ଓ ଉତ୍ୟକ୍ତ ଜନସାଧାରଣଙ୍କ ମଧ୍ୟରେ ଛକାପଂଝା ଚାଲିଥିଲା ।

ପରେ ଖବରପାଇ ପୋଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ଏବଂ ଡ଼ିସିପି ଅନୁପ କୁମାର ସାହୁ ଘଟଣାସ୍ଥଳକୁ ଆସି ଉତ୍ୟକ୍ତ ଜନତାକୁ ବୁଝାଇବାକୁ ଚେଷ୍ଟା କରିବାରେ ସଫଳ ହୋଇଥିଲେ ।

ଶ୍ରୀ ଷଡ଼ଙ୍ଗୀ କହିଥିଲେ, ବିନା ହେଲମେଟ ଚାଳକ, ମଦ୍ୟପାନ କରି ଯାନ ଚଳାଇବା ଏବଂ ଅଧିକ ବ୍ୟକ୍ତିଙ୍କୁ ଗାଡ଼ିରେ ବସାଇ ନେବାକୁ ନେଇ ଯାଞ୍ଚ ଚାଲିଛି ।

“ଏବେ ଆମେ ଇନସ୍ୟୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟ ଯାଞ୍ଚ କରୁନାହୁଁ । ଏସମ୍ପର୍କରେ ଆମେ ବାଣିଜ୍ୟ ଏବଂ ପରିବହନ ବିଭାଗ ସହିତ ଆଲୋଚନା କରୁଛୁ,” ବୋଲି କହିଛନ୍ତି ପୋଲିସ କମିଶନର୍ ।

Leave A Reply

Your email address will not be published.