ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ।
ସୁନପୂରମରୁ ୭ ଜଣ ବ୍ୟକ୍ତି ଏକ କାରରେ ଶ୍ରୀକାକୁଲମକୁ ଯାଉଥିବାବେଳେ ରାଜପଥ ଉପରେ ଅଟକିଥିବା ଏକ ଆଇଚର ଭ୍ୟାନରେ କାରଟି ଧକ୍କା ହୋଇଥିଲା । ମୃତକଙ୍କ ପରିଚୟ ଡାଲିଆ (୪୬) ଓ ମୋହିନାମ୍ମା (୫୦) ବୋଲି ଜଣାପଡିଛି । ଅନ୍ୟ ୫ ଜଣ ଗୁରୁତର ଆହତଙ୍କୁ ଟେକାଲି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।