ବରଗଡ଼: ବରଗଡ଼ ଜିଲ୍ଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବୋଲେରୋ ଏବଂ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।
ମୃତକ ହେଲେ ସୋନପୁର ଜିଲ୍ଲା ବିନିକା ଥାନା ଘାଟି ଜାମପାଲି ଗ୍ରାମର ସନ୍ତୋଷ ପ୍ରଧାନ, ସାଗର ପ୍ରଧାନ, କହର ପ୍ରଧାନ ଏବଂ ଶିଶୁ ଶ୍ରୀୟାଂଶ ପ୍ରଧାନ ବୋଲି ଜଣାପଡିଛି । ମୃତାହତମାନେ ୨ଟି ବାଇକ୍ ଯୋଗେ ବରଗଡ଼ ଜିଲ୍ଲା ଅତାବିରା ଥାନା ଖଇରପାଲି ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ ।
ଫେରିବା ବେଳେ ସୋନପୁର ପଟୁ ଗୋଡଭଗା ଆସୁଥିବା ଏକ ବୋଲେରୋ ଏବଂ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନା ପଠାଯାଇଥିବା ସୂଚନା ମିଳିଛି ।