Latest Odisha News

ଖୋଲୁଛି ବିବାଦୀୟ ଆଇଏଏସଙ୍କ ଗୁମର, ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଦେଇଥିଲେ ଭୁଲ୍ ଠିକଣା

ନୂଆଦିଲ୍ଲୀ: ଧୀରେ ଧୀରେ ଖୋଲୁଛି ବିବାଦୀୟ ଟ୍ରେନି ଆଇଏଏସ ପୂଜା ହେଡକରଙ୍କ ସବୁ ଚାଲାକି । ଯାଞ୍ଚବେଳେ ଏବେ ପୁଣି ଏକ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଦେଇଥିଲେ ଭୁଲ୍ ଠିକଣା । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିପାଇଁ ନକଲି ଠିକଣା ସହ ନକଲି ରାସନ କାର୍ଡ ଦେଇଥିବା ଯାଞ୍ଚ ସମୟରେ ଜଣାପଡିଛି ।

ତେବେ ପୂଜା ହସ୍ପିଟାଲକୁ ଦେଇଥିବା ଡକ୍ୟୁମେଣ୍ଟରେ ନିଜ ଘରର ଠିକଣା ତାଲୱଡେ ଅଞ୍ଚଳର ଦେହୁ-ଆଲନ୍ଦି, ପ୍ଲଟ ନଂ-୫୩ ବୋଲି ଉଲ୍ଲେଖ କରିଥିଲେ । ଯାହା ତାଙ୍କର ଠିକଣା ହିଁ ନଥିଲା । ଏହା ପ୍ରକୃତରେ ଏକ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନୀର ଠିକଣା, ଯାହା ଏବେ ଅଚଳ ହୋଇପଡିଛି ଏବଂ ତାହା ଆବାସିକ ସମ୍ପତ୍ତି ନୁହେଁ ବୋଲି ଯାଞ୍ଚ ସମୟରେ ଜଣାପଡିଛି । ଖାଲି ସେତିକି ସେହି ସମାନ କମ୍ପାନୀ ଠିକଣାରେ ନକଲି ରାସନ କାର୍ଡ ମଧ୍ୟ କରିଥିଲେ ପୂଜା । ଯାହାକୁ ପୂଜା ପରବର୍ତ୍ତୀ ସମୟରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିବାକୁ ବ୍ୟବହାର କରିଥିଲେ । ୨୦୨୨ ଅଗଷ୍ଟ ୨୪ରେ ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ବାହାରିଥିଲା, ଯେଉଁଥିରେ ତାଙ୍କ ଆଣ୍ଠୁର ୭ ପ୍ରତିଶତ ଅକ୍ଷମତା ଥିବା ଦର୍ଶାଯାଇଥିଲା।

ସୂଚନାଯୋଗ୍ୟ, ୨୦୨୨ ବ୍ୟାଚର ଆଇଏଏସ ପୂଜା ଖେଡକର ଟ୍ରେନିଂ ସମୟରେ କ୍ୟାବିନ, କାର, କର୍ମଚାରୀ ଓ ଦାମୀ ଗାଡି ବ୍ୟବହାର କରିବାର ଅଭିଯୋଗ ହୋଇଥିଲା । ଯାହାପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାପରେ ତାଙ୍କୁ ବଦଳି କରାଯାଇଥିଲା । ଏନେଇ ଅଧିକ ଯାଞ୍ଚ ପରେ ତାଙ୍କର ସବୁ ଚାଲାକିର ପର୍ଦ୍ଦାଫାସ ହୋଇଥିଲା । ଯେଉଁଥିରେ ପୂଜା ଖେଡକର ପଛୁଆ ବର୍ଗ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ ଏକ ନକଲି ସାର୍ଟିଫିକେଟ ଜମା କରିଛନ୍ତି । ଏଥିପାଇଁ ପ୍ରମାଣପତ୍ରର ଯାଞ୍ଚ ପାଇଁ ତାଙ୍କୁ ୨୦୨୨ ଏପ୍ରିଲରେ ଦିଲ୍ଲୀ ଏମ୍ସ ଯିବାକୁ କୁହାଯାଇଥିଲା । ମାତ୍ର ସେ କୋରୋନା ମହାମାରୀର ବାହାନା ଦେଖାଇ ଯାଞ୍ଚ ଲାଗି ଏମ୍ସରେ ପହଞ୍ଚି ନଥିଲେ । ଏବେ ଏନେଇ ଅଭିଯୋଗ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯିବା ପରେ ସମସ୍ତ ସାର୍ଟିଫିକେଟ ଗୁଡ଼ିକ ନକଲି ବୋଲି ପ୍ରମାଣିତ ହୋଇଛି । ଯାହାପରେ ବଢିଛି ବିବାଦୀୟ ଆଇଏଏସ ପୂଜାଙ୍କ ଅଡୁଆ ।

Comments are closed.