କୋରୁକୋଣ୍ଡା:ଜଣେ ଅସୁସ୍ଥ ଶିକ୍ଷକଙ୍କ ପ୍ରାଣ ହରେଇଛନ୍ତି । ମୃତ ଶିକ୍ଷକ ହେଲେ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ମହୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଧାଂଶୁ ସୁତାର(୪୨) । ଶିକ୍ଷକଙ୍କ ମୃତ୍ୟୁ ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ପରିବାର ଲୋକେ ଦାୟୀ କରିଛନ୍ତି । ଅନ୍ୟପକ୍ଷରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଶିକ୍ଷକ ମହଲ ଦାବି କରିଛି ।
ଖବରମୁତାବକ, ମହୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଧାଂଶୁ ସୁତାର ଦୀର୍ଘଦିନ ଧରି ଯକୃତ, ବୃକକ ଓ ହୃଦରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ସେ ମାଲକାନଗିରି କିମ୍ବା ଯାତାୟାତ ସୁବିଧା ଥିବା ଅଞ୍ଚଳକୁ ବଦଳି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅନେକ ଥର ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଅସୁସ୍ଥତା ମଧ୍ୟରେ ପ୍ରତିଦିନ ବାଇକ୍ ରେ ମାଲକାନଗିରି ସହରରୁ ମହୁପଦର ସ୍କୁଲକୁ ଯାତାୟତ କରୁଥିଲେ । ପ୍ରାୟ ୭୦ କିମି ଯିବାଆସିବା ମଧ୍ୟରେ ତାଙ୍କ ଦେହ ଆହୁରି ଖରାପ ହୋଇଯାଇଥିବା ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।
ଏହାର ସେମାନେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
ଏପଟେ ସମାନ ପରିସ୍ଥିତିରେ ଅନ୍ୟ କର୍ମଚାରୀଙ୍କୁ ବଦଳି ସୁବିଧା ମିଳିଥିବା ବେଳେ ସୁତାରଙ୍କୁ କାହିଁକି ବଦଳି କରାଗଲା ନାହିଁ ବୋଲି ପରିବାର ଲୋକେ ବି ପ୍ରଶ୍ନ କରିଛନ୍ତି ।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି । ବିଇଓ ଅସିତ ମିସ୍ତ୍ରୀ କହିଛନ୍ତି, ସମ୍ପୃକ୍ତ ଶିକ୍ଷକ ଜଣଙ୍କ ବର୍ଷେ ତଳେ ଅନଲାଇନରେ ବଦଳି ଅବେଦନ କରିଥିଲେ । ବଦଳି ପାଇଁ ଯେଉଁ ସ୍ଥାନ ଚୟନ କରିଥିଲେ ସେଠାରେ ପଦ ଖାଲି ନଥିବାରୁ ବଦଳି ହୋଇନଥିଲା । ଶିକ୍ଷକଙ୍କ ମୃତ୍ୟ ପରେ ବିଭାଗ ପକ୍ଷରୁ ଶେଷକୃତ୍ୟ ଲାଗି ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।


Comments are closed.