E20 in Aircraft?: ବିମାନ ଇନ୍ଧନରେ କ’ଣ ଇଥାନଲ ମିଶା ଯାଇପାରିବ କି? E20 ଠାରୁ କେତେ ଭିନ୍ନ ATF, ଜାଣନ୍ତୁ କ’ଣ କହିଲେ ସରକାର…
ନୂଆଦିଲ୍ଲୀ: ଗାଡ଼ିର ପେଟ୍ରୋଲରେ ଇଥାନଲ ମିଶ୍ରଣ ପରେ ଏବେ ବିମାନ ଇନ୍ଧନରେ ଏଥାନଲ ମିଶାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କାର୍ରେ ବ୍ୟବହୃତ ଇଥାନଲ ମିଶ୍ରିତ ପେଟ୍ରୋଲ ଏବଂ ବିମାନରେ ବ୍ୟବହୃତ ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ (ATF) ଏକା ନୁହେଁ। ବିମାନ ଇନ୍ଧନ ପାଇଁ ଅତ୍ୟନ୍ତ କଠୋର ସୁରକ୍ଷା ଓ ଗୁଣବତ୍ତା ମାନଦଣ୍ଡ ରହିଛି।
ଅଗଷ୍ଟ ୬ ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ATFରେ ସିଧାସଳଖ ଇଥାନଲ ବ୍ଲେଣ୍ଡିଂ କରିବାର କୌଣସି ଯୋଜନା ନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ କହିଛନ୍ତି, ATFରେ ଇଥାନଲ ମିଶାଇବା ନେଇ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ। ବିମାନ ସୁରକ୍ଷା ସମ୍ପର୍କରେ ଭୁଲ ତଥ୍ୟ ଯାତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।
ତେବେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଦାବି ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ସରକାର କହିଛନ୍ତି, ଇଥାନଲ ଏବଂ ସଷ୍ଟେନେବଲ୍ ଏଭିଏସନ୍ ଫ୍ୟୁଏଲ୍ (SAF) ଦୁଇଟି ଭିନ୍ନ ଇନ୍ଧନ। SAFକୁ ବିମାନ ଚଳାଚଳ ପାଇଁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ଏହାକୁ ବ୍ୟବହାର ପୂର୍ବରୁ କଠୋର ସୁରକ୍ଷା ଓ ପ୍ରଦର୍ଶନ ପରୀକ୍ଷା ଦେବାକୁ ପଡ଼େ।
SAF ବିଭିନ୍ନ ସ୍ଥାୟୀ ଜୈବିକ ଉତ୍ସ ଓ ପ୍ରଯୁକ୍ତି ମାଧ୍ୟମରେ ପ୍ରସ୍ତୁତ ହୁଏ। ଇଥାନଲ ଭଳି ଆଲକୋହଲକୁ ବିଶେଷ ରାସାୟନିକ ପ୍ରକ୍ରିୟାରେ ଜେଟ୍ ଫ୍ୟୁଏଲ୍ ଭଳି ହାଇଡ୍ରୋକାର୍ବନରେ ପରିଣତ କରାଯାଇପାରେ। ଏହାକୁ ଆଲକୋହଲ୍ ଟୁ ଜେଟ୍ ବା ଇଥାନଲ୍ ଟୁ ଜେଟ୍ ପ୍ରଯୁକ୍ତି କୁହାଯାଏ। ଅର୍ଥାତ୍ କଞ୍ଚା ଇଥାନଲକୁ ସିଧା ATFରେ ମିଶାଯାଏ ନାହିଁ।
୨୦୨୬ ଏପ୍ରିଲ ୧୭ରେ ସରକାର ATF ସମ୍ପର୍କିତ ପୁରୁଣା ନିୟମରେ ପରିବର୍ତ୍ତନ ଆଣିଥିଲେ। ଏହାକୁ ନେଇ ଇଥାନଲ ବିମାନ ଇନ୍ଧନରେ ମିଶିବ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ଅଧିସୂଚନାରେ ସିଧା ଇଥାନଲ ବ୍ଲେଣ୍ଡିଂର କଥା ନଥିଲା, ବରଂ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା SAF ସହ ମିଶ୍ରିତ ATFକୁ ନିୟମ ଅଧୀନରେ ମାନ୍ୟତା ଦେବା ପାଇଁ ରାସ୍ତା ସ୍ପଷ୍ଟ କରାଯାଇଥିଲା।
ବିମାନରେ ବ୍ୟବହାର ପୂର୍ବରୁ SAFକୁ ଅନେକ କଠୋର ପରୀକ୍ଷା ଦେବାକୁ ପଡ଼େ। ICAO ଓ ASTM ଭଳି ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଆବଶ୍ୟକ ପ୍ରମାଣନ ମିଳିବା ପରେ ହିଁ ଏହାକୁ ବିମାନ ଇନ୍ଧନ ଭାବେ ବ୍ୟବହାର କରାଯାଇପାରେ। ତେଣୁ ଗାଡ଼ିର E20 ପେଟ୍ରୋଲରେ ଇଥାନଲ ମିଶ୍ରଣ ଏବଂ ବିମାନରେ SAF ବ୍ୟବହାର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକ୍ରିୟା। ବିମାନ ଇନ୍ଧନରେ କୌଣସି ପରିବର୍ତ୍ତନ ପୂର୍ବରୁ ସୁରକ୍ଷା, ଇଞ୍ଜିନ୍ ପ୍ରଦର୍ଶନ ଓ ଇନ୍ଧନର ଗୁଣବତ୍ତା ସମ୍ପର୍କିତ କଠୋର ମାନଦଣ୍ଡ ପାଳନ କରାଯାଏ।
