ଭୁବନେଶ୍ୱର: ରାଜ୍ୟରେ ହେଉଥିବା ମୋଟରଯାନ ଦୁର୍ଘଟଣାର ରହିବ ଟିକିନିକି ରେକର୍ଡ । ଖାତା କଲମ ନୁହେଁ, ଡିଜିଟାଲ ରେକର୍ଡ ରହିବ । ସବୁ ଦୁର୍ଘଟଣାର ରେକର୍ଡ ରଖିବା ପାଇଁ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ ମିଳିତ ଭାବେ କାମ କରିବେ ।
ଇଣ୍ଟିଗ୍ରେଟେଡ୍ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ଅଧୀନରେ ମୋଟର ଯାନ ଦୁର୍ଘଟଣାର ବିବରଣୀ ରେକର୍ଡ କରିବାକୁ ପରିବହନ ବିଭାଗ ସୋମବାର ଓଡିଶା ପୋଲିସକୁ ୧୫୦ଟି ଟ୍ୟାବ୍ ଦେଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କୁ ଏହି ଟ୍ୟାବଗୁଡ଼ିକ ହସ୍ତାନ୍ତର କରିଛନ୍ତି ।
“ରାଜ୍ୟରେ ସଡ଼କ ଦୁର୍ଘଟଣାର ମୂଳ କାରଣ ଖୋଜିବା ପାଇଁ ତଥ୍ୟ ହେଉଛି ଚାବିକାଠି । ଏହି ଟ୍ୟାବଗୁଡିକ ଦ୍ୱାରା, ଅନୁସନ୍ଧାନକାରୀ ଅଧିକାରୀ ଘଟଣାସ୍ଥଳରେ ଦୁର୍ଘଟଣା ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇପାରିବେ ଏବଂ ସମୟ ସମୟରେ ସୂଚନା ଆଦାନ ପ୍ରଦାନକୁ ସହଜ କରିଥାଏ । ଏହା ରାଜ୍ୟରେ ସଡକ ସୁରକ୍ଷାକୁ ସୃଦୃଢ଼ କରିବା ଦିଗରେ ଏକ ସଠିକ ଏବଂ ସମାନ ଦୁର୍ଘଟଣା ତଥ୍ୟ ସଂଗ୍ରହ କୌଶଳ ପ୍ରତିଷ୍ଠା କରିବାରେ ସହାୟକ ହେବ। ” ପୋଲିସ ଡିଜି ସୁନୀଲ କୁମାର ବଂଶଲ କହିଛନ୍ତି ।
ସଡକ ଦୁର୍ଘଟଣାର ଡାଟାବେସ୍ ରଖିବା ପାଇଁ ସଡକ ପାର୍ଶ୍ୱ ପୋଲିସ୍ ଷ୍ଟେସନର ଅନୁସନ୍ଧାନକାରୀ ଅଧିକାରୀମାନେ ଏହି ଟ୍ୟାବଗୁଡ଼ିକୁ ବ୍ୟବହାର କରିବେ । ଅନୁସନ୍ଧାନକାରୀ ଅଧିକାରୀଙ୍କ ପାଇଁ ଫର୍ମକୁ ମାନୁଆଲ ପୂରଣ କରିବା ପରିବର୍ତ୍ତେ ଟ୍ୟାବରେ ଆବଶ୍ୟକ ସୂଚନା ପ୍ରବେଶ କରିବାରେ ସହଜ ହେବ ।
ଏହି ଅବସରରେ ଶ୍ରୀ ସେଠୀ କହିଛନ୍ତି, “ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ପୋଲିସ ଏବଂ ପରିବହନ ବିଭାଗ ମିଳିତ ଭାବେ କାର୍ୟ୍ୟ କରିପାରିବେ । ସମସ୍ୟାର ବିଶ୍ଳେଷଣ ତଥା ସେହି ଅନୁଯାୟୀ ସମାଧାନ ଖୋଜିବାରେ ଦୁର୍ଘଟଣା ତଥ୍ୟ ଆମକୁ ସାହାଯ୍ୟ କରିବ। ”
Comments are closed.