Latest Odisha News

BREAKING NEWS

ପାଣିକୋଇଲିରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ୍

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ୍। ବହୁ ପ୍ରତିକ୍ଷିତ ଏହି ଟ୍ରମା କେୟାର ସେଣ୍ଟର ପାଇଁ ଅର୍ଥ ମଞ୍ଜୁର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ପ୍ରଥମ ପର୍ଯ୍ୟାୟରେ ୭୦ କୋଟି ଟଙ୍କା ଅର୍ଥ ମଞ୍ଜୁରୀ ମିଳିଛି।

ସୂଚନା ମୁତାବକ ପାଣିକୋଇଲି ଠାରେ ମେଡିକାଲ କଲେଜ ସ୍ଥାପନ ଦାବିରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଏଥିପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘ ୧୦୦ ଦିନ ଧରି ଗଣଧାରଣା ମଧ୍ୟ୍ୟ ହୋଇଥିଲା। ପରେ ଏଥିରେ ହସ୍ତକ୍ଷେପ କରିଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଙ୍କ ଅନୁରୋଧ ଓ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ମେଡିକାଲ କଲେଜ ନୁହେଁ ବରଂ ଏଠାରେ ଏକ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଥିଲେ।

୨୦୧୯ ମସିହାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ତତ୍କାଳୀନ କୋରାଇ ବିଧାୟକ ଆକାଶ ଦାସନାୟକ ଏହାର ଶିଳାନ୍ୟାସ କରିଥିଲେ। ତେବେ ଏକ ବର୍ଷ ପରେ ଏହି ଟ୍ରମା କେୟାର ସେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁରୀ ହୋଇଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ଧନ୍ୟବାଦ ଦେଇଛନ୍ତି।

ପାଣିକୋଇଲି ୧୬ ଏବଂ ୨୦ନଂ ଜାତୀୟ ରାଜପଥର ସଂଯୋଗ ସ୍ଥଳ ହୋଇଥିବା ବେଳେ ନିକଟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରହିଛି। ତେଣୁ ବିଭିନ୍ନ ସମୟରେ ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଜୀବନ ହାନି ହୋଇଥାଏ। ଜିଲ୍ଲାରେ ଦୁର୍ଘଟଣା ଘଟିଲେ ଆହତଙ୍କୁ ସୁଦୂର କଟକ ବଡ଼ ମେଡ଼ିକାଲକୁ ନେବାକୁ ପଡିଥାଏ। ଫଳରେ ଅନେକ ଲୋକ ଅଧା ରାସ୍ତାରେ ହିଁ ମୃତ୍ୟୁବରଣ କରିଥାନ୍ତି। ତେବେ ଜିଲ୍ଲାର ମଧ୍ୟଭାଗ ପାଣିକୋଇଲି ଠାରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ହେବା ପରେ ଅନେକଙ୍କ ଜୀବନ ବଞ୍ଚି ପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.