Travel advisory for Iran: ଭାରତୀୟଙ୍କୁ ସତର୍କ କରାଇଲା ବୈଦେଶିକ ମନ୍ତ୍ରଣାଳୟ…ଇରାନକୁ ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ
ନୂଆଦିଲ୍ଲୀ:ସୋମବାର ବୈଦେଶିକ ମନ୍ତ୍ରଣାଳୟ ବିଶ୍ୱ ପରିସ୍ଥିତିକୁ ବିଚାରକୁ ନେଇ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ନାଗରିକମାନଙ୍କୁ ଇରାନକୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦେଇଛି । ସରକାରଙ୍କ ଆର୍ଥିକ ନୀତି ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ବିରୋଧରେ ଇରାନରେ ହେଉଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ଭାରତ ଏକ ଯାତ୍ରା ପରାମର୍ଶ ଜାରି କରିଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି, “ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ଇରାନକୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି।ଇରାନରେ ବର୍ତ୍ତମାନ ରହୁଥିବା ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ (PIOs) ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ପ୍ରତିବାଦ କିମ୍ବା ପ୍ରଦର୍ଶନ ହେଉଥିବା ଅଞ୍ଚଳଗୁଡ଼ିକୁ ଯାଆନ୍ତୁ ନାହିଁ ।”
ଖବର ଅନୁସରଣ କରିବା ସହିତ, ଭାରତୀୟ ନାଗରିକମାନେ ତେହେରାନରେ ଥିବା ଭାରତୀୟ ଦୂତାବାସର ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ଉପରେ ମଧ୍ୟ ନଜର ରଖିବା ଉଚିତ। ବୈଦେଶିକ ମନ୍ତ୍ରଣାଳୟ ଇରାନରେ ବାସ କରୁଥିବା ଆବାସିକ ଭିସାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଦୂତାବାସରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛି।
ସୂଚନାଥାଉକି,ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ, ଆମେରିକାର ପରବର୍ତ୍ତୀ ଟାର୍ଗେଟରେ ଇରାନ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଟ୍ରମ୍ପ ଇରାନ ବିରୁଦ୍ଧରେ କିଛି କଠୋର ପଦକ୍ଷେପ ମଧ୍ୟ ନେଇପାରନ୍ତି। ଆମେରିକାର ବୈଦେଶିକ ବିଭାଗ ଇରାନ ସମ୍ପର୍କରେ ପାର୍ସୀ ଭାଷାରେ ଏକ ବାର୍ତ୍ତା ମଧ୍ୟ ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ଟ୍ରମ୍ପ ଜଣେ କାର୍ଯ୍ୟନିଷ୍ଠ ବ୍ୟକ୍ତି। ଯଦି ଆପଣ ପୂର୍ବରୁ ଏହା ଜାଣି ନଥିଲେ, ତେବେ ଏବେ ଜାଣି ନିଅନ୍ତୁ ।
ଏହି ସମସ୍ତ ପରିସ୍ଥିତିକୁ ବିଚାର କରି, ଭାରତ ସରକାର ନିଜର ନାଗରିକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିସାରିଛନ୍ତି।