Latest Odisha News

BREAKING NEWS

ପ୍ରକୃତି ଓ ସଂସ୍କୃତିର ମିଳନ ସ୍ଥଳୀ ଅସ୍ତରଙ୍ଗର ଜାହାନିଆ ପୀଠ

ଭୁବନେଶ୍ୱର: ଅସ୍ତରଙ୍ଗର ଜାହାନିଆ ପୀଠ। ଯେଉଁଠି ମିଳନ ଘଟିଛି ପ୍ରକୃତି ଓ ସଂସ୍କୃତିର। ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୮୦ କିମି ଦୂରରେ ଥିବା ଜାହାନିଆ ପୀଠରେ ଭରି ରହିଛି ଅମାପ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା । ପୀଠରେ ସାମ୍ପ୍ରଦାୟିକ ସଦଭାବନାର ଛାପ ଦେଖିବାକୁ ମିଳେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ଧର୍ମ ଅନୁଯାୟୀ ପୂଜା କରିଥାନ୍ତି । ହିନ୍ଦୁମାନେ ପତାକା ଲାଗାଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ପିର ବାବାଙ୍କ ଉପରେ ଚାଦର ଚଢାଇଥାନ୍ତ । ଏଠାରେ ପୂଜା ପାଉଥିବା ମୁକୋଦମ ଜାହାନିଆଙ୍କ କଠଉ ଓ ବାଡ଼ି ଦେଖି ପାରିବେ ।

ଦର୍ଘାର କାନ୍ଥରେ ଅନେକ ଗୁଡ଼ିଏ ନାଲି ରଙ୍ଗର ସୂତା ଦେଖିବାକୁ ମିଳିଥାଏ । ଏହି ସୂତା ଗୁଡ଼ିକ ଏଠାକୁ ଆସୁଥିବା ବ୍ୟକ୍ତି ମାନସିକ କରି ବାନ୍ଧିଥାନ୍ତି । ଏଠାରେ ସୂତା ବାନ୍ଧିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ମନସ୍କାମନା ପୂର୍ଣ୍ଣ ହେବା ପରେ ଲୋକମାନେ ଏଠାକୁ ଆସି ପୂଜାର୍ଚ୍ଚନା କରି ସୂତା ଫିଟାଇଥାନ୍ତି ।

ଏଠାରେ ପିର ଜାହାନିଆ ପୀଠ ବ୍ୟତୀତ ସମୁଦ୍ର ବେଳାଭୂମି ଓ ଝାଉଁ ବଣରେ ମଧ୍ୟ ସମୟ ବିତାଇ ମଜା ନେଇ ପାରିବେ ପର୍ଯ୍ୟଟକ । ଏହି ବେଳାଭୂମୀର ସୁନ୍ଦର ଓ ବୀସ୍ତୀର୍ଣ୍ଣ ବାଲୁକାରାଶି ଏହାକୁ ଅନ୍ୟ ବେଳାଭୂମିଠୁ ନିଆରା ହେବା ସହ ଲୋକ ପ୍ରିୟ କରାଇପାରିଛି । ନିକଟରେ ଥିବା ଝାଉଁ ବଣରେ ବଣଭୋଜି କରିବା ପାଇଁ ସମସ୍ତପ୍ରକାର ସୁବିଧା ରହିଛି । ଏହାସହ ସମୁଦ୍ର କୂଳରେ ତିଆରି ହୋଇଥିବା ସେଡଗୁଡ଼ିକରେ ବସି ସମୁଦ୍ର ଦେଖିବାର ଏକ ସୁନ୍ଦର ଅନୁଭୁତି ସାଉଁଟି ପାରିବେ ପର୍ଯ୍ୟଟକ ।

ଜାହାନିଆ ପୀଠରୁ କିଛି ଦୂର ଗଲେ ପଡ଼େ ସହନ ନଦୀ ଓ ଦେବୀନାଶି ନଦୀ କୂଳରେ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କୃତିମ ଘଞ୍ଚ ହେନ୍ତାଳ ବଣ । ଏଠାକୁ ଡ଼ଙ୍ଗାରେ ଯିବାକୁ ପଡ଼ିଥାଏ । ହେଲେ ଏଠାରେ କେବଳ ନଦୀରେ ଜୁଆର ଆସିବା ସମୟରେ ଡ଼ଙ୍ଗା ଯାତାୟତ କରେ ।

ପ୍ରାୟ ୨କିମି ଜଳ ଯାତ୍ରା ପରେ ଦେବୀ ନଦୀ ମୁହାଣ ଦେବୀନାଶିଠାରେ ସମୁଦ୍ର ଓ ନଦୀର ସଙ୍ଗମସ୍ଥଳୀ ଦେଖିପାରିବେ । ଏଠାରେ ଅଲିଭ ରିଡ଼ିଲେ କଇଁଛ ସଂଗ୍ରାହଳୟ ମଧ୍ୟ ଦେଖି ପାରିବେ ପର୍ଯ୍ୟଟକ। ଯଦି ଅଣ୍ଡାଦିଆ ଋତୁରେ ଯିବେ ତେବେ ଛୋଟଛୋଟ ଅଲିଭ ରିଡ଼ିଲେ କଇଁଛ ଦେଖିବାର ସୁଯୋଗ ପାଇ ପାରିବେ । ଜଙ୍ଗଲରେ ରହୁଥିବା ବନ୍ୟ ଜନ୍ତୁ ଓ ପକ୍ଷୀ ଦେଖିବାର ସୁଯୋଗ ମଧ୍ୟ ପାଇପାରିବେ । ଶୀତ ଦିନରେ ଏଠାକୁ କିଛି ବିଦେଶୀ ପକ୍ଷୀ ମଧ୍ୟ ଆସିଥାନ୍ତି ।

Leave A Reply

Your email address will not be published.