Latest Odisha News

BREAKING NEWS

ସାତକୋଶ ଯାଏଁ ଲମ୍ବିଛି ସାତକୋଶିଆ ଗଣ୍ଡ

ପାହାଡ଼, ନଦୀ, ନାଳ ଓ ଜଙ୍ଗଲରେ ଭରପୁର ଅଞ୍ଚଳ ହେଉଛି ଅନୁଗୁଳର ସାତକୋଶିଆ। ପର୍ଯ୍ୟଟନ ୠତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଏହି ସ୍ଥାନ। ପ୍ରାକୃତିକ ସବୁଜିମା ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଓଡ଼ିଶାର ବିରଳ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ । ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ।

ଅନୁଗୁଳ, ନୟାଗଡ଼, କଟକ ଓ ବୌଦ୍ଧ ଭଳି ୪ଟି ଜିଲ୍ଲାର କିଛି କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଗଠିତ । ଏହି ଅଭୟାରଣ୍ୟ ଭିତରେ ଥିବା ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ସାତ କୋଶ ଅର୍ଥାତ ୨୨ କି.ମି ଲମ୍ବ ହୋଇଥିବାରୁ ଏହାର ଏପରି ନାମ କରଣ କରାଯାଇଥିବା କୁହାଯାଏ।

୪ଟି ଜିଲ୍ଲାକୁ ନେଇ ଗଠିତ ଏହି ସାତକୋଶିଆ ଗଣ୍ଡର ଦୃଶ୍ୟ ଅନୁଗୁଳ ପଟରୁ ବେଶ ରୋମାଞ୍ଚକର ଦେଖା ଯାଇଥାଏ ।

ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ବାଘ, ହାତୀ, ଜଙ୍ଗଲୀ ଗୁଣ୍ଡୁଚିମୂଷାକୁ ଛାଡି ନୀଳଗାଈ ଭଳି ବିରଳ ପ୍ରଜାତିର ଜୀବ ଦେଖିବାକୁ ମିଳିଥାନ୍ତି । ଖାଲି ସେତିକି ନୁହେଁ ବିରଳ ବାଦୁଡି, କଇଁଛ, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପମାନଙ୍କର ବାସସ୍ଥଳୀ ହେଉଛି ଏହି ସାତକୋଶିଆ।

ଏଠାକାର କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ ଇତ୍ୟାଦି ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଖୁବ ଆଲୋଡିତ କରିଥାଏ ।

ତାଛଡ଼ା ସାତକୋଶିଆର ମୁଖ୍ୟ ଆକର୍ଷଣ ହେଉଛି ଘଡିଆଳ କୁମ୍ଭୀର। ଅତ୍ୟଧିକ ଥଣ୍ଡାରୁ ଟିକେ ଉଷୁମ୍‌ ପାଇଁ ଏମାନେ ଆସି ମହାନଦୀ ଗଣ୍ଡର ଦୁଇ କଡ଼ରେ ଜମା ହୋଇଯାଆନ୍ତି। ଯେଉଁ ଦୃଶ୍ୟ ଖୁବ୍‌ ରୋମାଞ୍ଚକର। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଏଠାରେ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଛି।

ଆପଣ ଚାହିଁଲେ ଏଠାରେ ସରକାରୀ ବୋଟ୍‌ରେ ମହାନଦୀରେ ବୋଟିଂର ମଜା ନେଇପାରିବେ।

କେମିତି ଯିବେ:
ଭୁବନେଶ୍ୱରରୁ ଅନୁଗୁଳ ସାତକୋଶିଆ ପ୍ରାୟ ୧୩୦ କିମି ହେବ। ଆପଣ କଟକ କିମ୍ବା ଭୁବନେଶ୍ୱରରୁ ଅନୁଗୁଳ ଯାଏ ଟ୍ରେନ୍‌ କିମ୍ବା ବସ୍‌ରେ ଯାଇପାରିବେ। ସେଠାରୁ ମିନି ବସ୍‌ କିମ୍ବା ଟ୍ରାଭେଲସ୍‌ ସଂସ୍ଥା ସହ ଯୋଗାଯୋଗ କରି ସାତକୋଶିଆ ଯାଇପାରିବେ।

Comments are closed.