ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆରେନାରେ ଖେଳାଯାଉଥିବା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍ସିପ୍ ୨୦୨୬ରେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଷା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଐତିହାସିକ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଖେଳାଯାଇଥିବା ମହିଳା ଡବଲ୍ସ କ୍ୱାଟର ଫାଇନାଲ୍ରେ ଭାରତୀୟ ଯୋଡ଼ି କଡ଼ା ମୁକାବିଲା କରି ଚୀନ୍ର ଜିଆ ୟି ଫାନ୍ ଓ ଝାଙ୍ଗ ଶୁ ଜିଆନ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରି ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି । ୧ ଘଣ୍ଟା ୯ ମିନିଟ୍ ଧରି ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ତ୍ରିଷା-ଗାୟତ୍ରୀ ୧୬-୨୧, ୨୧-୧୫, ୨୧-୧୩ ସେଟ୍ରେ ଜୟଲାଭ କରିଛନ୍ତି ।
ୱାର୍ଲ୍ଡ ଚାମ୍ପିଅନ୍ସିପ୍ର ମହିଳା ଡବଲ୍ସ ବିଭାଗରେ ଭାରତକୁ ଦୀର୍ଘ ୧୫ ବର୍ଷ ପରେ ପଦକ ମିଳିବାକୁ ଯାଉଛି । ଏହାପୂର୍ବରୁ ୨୦୧୧ରେ ଜ୍ୱାଲା ଗୁଟ୍ଟା ଏବଂ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଯୋଡ଼ି ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଗେମ୍ରେ ଚୀନ୍ ଯୋଡ଼ି ୨୧-୧୬ରେ ଆଗୁଆ ରହିଥିଲେ ହେଁ, ପରବର୍ତ୍ତୀ ଦୁଇଟି ଗେମ୍ରେ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ସ୍ମାଶ୍ ଏବଂ ଦମ୍ଦାର ନେଟ୍ ପ୍ଲେ ବଳରେ ୨୧-୧୫ ଓ ୨୧-୧୩ରେ ଗେମ୍ ଜିତି ମ୍ୟାଚ୍ ନିଜ ନାମରେ କରିଥିଲେ । ସେମିଫାଇନାଲ୍ରେ ତ୍ରିଷା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ମୁକାବିଲା ଚୀନ୍ର ଅନ୍ୟତମ ପ୍ରମୁଖ ଯୋଡ଼ି ତଥା ନମ୍ବର-୧ ବରୀୟତାପ୍ରାପ୍ତ ଲିୟୁ ଶେଙ୍ଗଶୁ ଏବଂ ଟ୍ୟାନ୍ ନିଙ୍ଗଙ୍କ ସହ ହେବ ।

