ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡ଼ିଶାରେ ତଥା ସମଗ୍ର ଦେଶରେ ଟାଇପ୍-୨ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମର ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବିଶେଷ କରି ଅତ୍ୟଧିକ ଚିନି ବା ମିଠା ଜାତୀୟ ଖାଦ୍ୟ ଖାଇବା ଏହାର ଏକ ପ୍ରମୁଖ କାରଣ। ଆଜିକାଲି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚକୋଲେଟ୍, କୋଲ୍ଡ ଡ୍ରିଙ୍କସ୍ ଓ ବେକେରୀ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଯାହା ଶରୀର ପାଇଁ ବିପଦ ଡାକି ଆଣୁଛି ।
ଯଦିଓ ଚିନି ସିଧାସଳଖ ଡାଇବେଟିସ୍ ସୃଷ୍ଟି କରେ ନାହିଁ, ତଥାପି ଏହା ଶରୀରରେ ମେଦବହୁଳତା ବା ଓଜନ ବଢ଼ାଇଥାଏ, ଯାହା ଟାଇପ୍-୨ ଡାଇବେଟିସର ମୁଖ୍ୟ କାରଣ ପାଲଟିଥାଏ। ଯେତେବେଳେ ଆମେ ଅଧିକ ମାତ୍ରାରେ ମିଠା ଖାଉ, ଶରୀରରେ ଅତିରିକ୍ତ କ୍ୟାଲୋରୀ ଜମା ହୁଏ। ଅତ୍ୟଧିକ ଓଜନ ଯୋଗୁଁ ଶରୀରରେ ‘ଇନସୁଲିନ୍ ରେଜିଷ୍ଟାନ୍ସ’ ଦେଖାଦିଏ। ଏହାର ଅର୍ଥ ହେଉଛି, ଅଗ୍ନାଶୟରୁ ବାହାରୁଥିବା ଇନସୁଲିନ୍ ହରମୋନ୍ ସଠିକ୍ ଭାବରେ କାମ କରିପାରେ ନାହିଁ । ଫଳରେ ରକ୍ତରେ ଗ୍ଲୁକୋଜ୍ ବା ଶର୍କରାର ପରିମାଣ ବଢ଼ିବାକୁ ଲାଗେ ଏବଂ ଏହା ଦୀର୍ଘ ଦିନ ରହିଲେ ଟାଇପ୍-୨ ଡାଇବେଟିସର ରୂପ ନିଏ ।
ଅନେକ ସମୟରେ ଲୋକେ ବର୍ଷ ବର୍ଷ ଧରି ଟାଇପ୍-୨ ଡାଇବେଟିସ୍ରେ ଆକ୍ରାନ୍ତ ହୋଇ ମଧ୍ୟ ଜାଣିପାରନ୍ତି ନାହିଁ। ଏହି ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ହେଲା, ବାରମ୍ବାର ଶୋଷ ଲାଗିବା, ରାତିରେ ଅଧିକ ପରିସ୍ରା ଲାଗିବା, ଅତ୍ୟଧିକ ଭୋକ ଲାଗିବା, ବିନା କାରଣରେ ଓଜନ କମିଯିବା, ଦୃଷ୍ଟିଶକ୍ତି ଝାପ୍ସା ହେବା, ଅତ୍ୟଧିକ ଥକାପଣ ଏବଂ କୌଣସି କ୍ଷତ ସ୍ଥାନ ଶୀଘ୍ର ନ ଶୁଖିବା। ଯଦି ଏହି ସବୁ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ରକ୍ତ ପରୀକ୍ଷା କରିବା ଆବଶ୍ୟକ।
ଏହି ରୋଗକୁ ଅଣଦେଖା କଲେ ଆଗକୁ ଏହା ଅଧିକ ଭୟଙ୍କର ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସତର୍କ ସୂଚନା ଅନୁଯାୟୀ, ଟାଇପ୍-୨ ଡାଇବେଟିସ୍ ଯୋଗୁଁ ହୃଦ୍ରୋଗ, ଷ୍ଟ୍ରୋକ୍, କିଡନୀ ସମସ୍ୟା, ସ୍ନାୟୁ ଜନିତ ରୋଗ ଏବଂ ଆଖି ନଷ୍ଟ ହେବାର ଆଶଙ୍କା ବହୁଗୁଣିତ ହୋଇଯାଏ ।
ଏହି ମାରାତ୍ମକ ରୋଗରୁ ବର୍ତ୍ତିବା ପାଇଁ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ। ଖାଦ୍ୟରେ ଚିନିର ବ୍ୟବହାରକୁ ସୀମିତ କରିବା, ପ୍ରୋସେସ୍ଡ୍ ଫୁଡ୍ଠାରୁ ଦୂରେଇ ରହିବା, ପ୍ରଚୁର ପରିମାଣରେ ପନିପରିବା ଓ ଫାଇବର ଯୁକ୍ତ ଖାଦ୍ୟ ଖାଇବା ସହିତ ଦିନକୁ ଅତିକମରେ ୩୦ ମିନିଟ୍ ବ୍ୟାୟାମ ବା ଚଲାବୁଲା କରିବା ଦ୍ୱାରା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିହେବ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ଆଜିଠାରୁ ହିଁ ନିଜ ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ।

