Latest Odisha News

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଧାଡ଼ିରେ ଯିବେ ଭକ୍ତ

ପୁରୀ: ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା, ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ହୋଇଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ । ତେବେ ସମସ୍ତ ଭକ୍ତମାନେ ସାତପାହାଚ ଦ୍ବାର ଦେଇ ପ୍ରବେଶ କରିବାକୁ ଥିବାବେଳେ ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ପ୍ରସ୍ଥାନ କରିବେ ଏବଂ ପୁରୁଷ ଭକ୍ତମାନେ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ।

ସୂଚନାଯୋଗ୍ୟ, ଧାଡ଼ିଦର୍ଶନ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି) ପକ୍ଷରୁ ନାଟମଣ୍ଡପରେ ୬ଥାକିଆ କାଠ ରାମ୍ପ ନିର୍ମାଣ ଚାଲିଛି। ନିର୍ମାଣ ଚାଲିଥିବା କାଠ ରାମ୍ପକୁ ଗତ ମାସରେ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

Leave A Reply

Your email address will not be published.