କାମାକ୍ଷାନଗର: ମଦ, ହାଣ୍ଡିଆ ନ ଦେଲେ ହୋଇ ପାରିବନି ବାହାଘର । ଘରେ ପଶି ପାରିବନି ମଙ୍ଗୁଳା କନ୍ୟା । ସାଇଭାଇଙ୍କ ଏଭଳି ରୋକଠୋକ୍ କଥା ଦୁଇ ପ୍ରେମପକ୍ଷୀଙ୍କ ମିଳନକୁ ଅଟକାଇଥିବା ବେଳେ ଦୋ ଛକିରେ ପରିବାର । ସାନ୍ତାଳୀ ସମାଜର ରୀତିନୀତି ଓ ଗାଁ ମୁଖିଆଙ୍କ ନିଷ୍ପତ୍ତି ପାଇଁ ବାହା ହୋଇ ପାରୁନାହାନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜୟପୁରାକାଟେଣି ପଞ୍ଚାୟତ କାଦବସନ୍ତ ଗାଁର ପାରାଉ ମାରାଣ୍ଡି । ବେଦୀ ବନ୍ଧାଯିବା ସହ ଭୋଜି ରନ୍ଧା ହୋଇଥିଲେ ବି ମଦ ନଦେବାରୁ ସାହି ଭାଇ ବାହାଘର କରାଇ ଦେଉ ନଥିବା ଅଭିଯୋଗ ହୋଇଛି । ପୋଲିସ ବି ଗ୍ରାମବାସୀଙ୍କୁ ବୁଝାଇ ନ ପାରି ଫେରି ଯାଇଛି ।
୮ ବର୍ଷ ତଳେ ପାରାଉ ମାରାଣ୍ଡି ପରଜଙ୍ଗ ଥାନା କେନ୍ଦୁମୁଣ୍ଡା ଗାଁର ସଜନୀ ମାରାଣ୍ଡିଙ୍କୁ ଭଲ ପାଇ ମନ୍ଦିରରେ ବାହା ହୋଇଥିଲେ । ହେଲେ ଆଦିବାସୀ ପରମ୍ପରା ଅନୁଯାୟୀ ନୀତି ନିୟମ ମାନି ସାହି ଭାଇଙ୍କୁ ଭୁଲ୍ ମାଗି ପୁଣି ବାହା ହେବାକୁ କହିଥିଲେ ଗାଁ ମୁଖିଆ । ଆଉ ସେହି ଅନୁସାରେ, ପାରାଉଙ୍କ ପରିବାର ବାହାଘର ଆୟୋଜନ କରିଥିଲେ । ଭୋଜିଭାତ ରନ୍ଧା ହୋଇଥିଲେ ମଧ୍ୟ ମଦ ପାଇଁ ବାହାଘର ଅଟକି ଯାଇଛି । ସେପଟେ ଗାଁ ମୁଖିଆ କହିଛନ୍ତି, ପାରାଉ କାହା କଥା ମାନୁ ନାହାଁନ୍ତି । ଭୁଲ୍ ମାଗିଲେ ସବୁ କାମ ହୋଇଯିବ ।
ଆଦିବାସୀ ସମାଜର ପରମ୍ପରା ଓ ରୀତନୀତି ପାଇଁ ପାରାଉ ଓ ସଜନୀଙ୍କ ବାହାଘର ଅଟକି ଯାଇଛି । ମୁଖିଆଙ୍କ ସହ ସାହି ଭାଇ ତାଙ୍କ ନିଷ୍ପତ୍ତିରେ ଅଡ଼ି ରହିଥିବା ବେଳେ ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
Comments are closed.