Latest Odisha News

BREAKING NEWS

ଫୋକସରେ ଆଦିବାସୀ ଭୋଟର: ଛତିଶଗଡ ଫର୍ମୁଲା ଓଡ଼ିଶାରେ ଲାଗୁ କରିବ ବିଜେପି?

ଭୁବନେଶ୍ୱର: ଛତିଶଗଡରେ ବିଜେପିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। କ୍ଷମତାକୁ ଫେରିବାକୁ ନା ଥିଲା ସେଭଳି ନାରା ନା ଦଳୀୟ କର୍ମୀଙ୍କ ମୁହଁରେ ଥିଲା ‘ଅବ କି ବାର ବିଜେପି ସରକାରର’ ନାରା କିନ୍ତୁ ଯେଉଁଭଳି ଭାବେ ବିଜେପି କମ୍ ବ୍ୟାକ କଲା ତାହା ଅନେକଙ୍କୁ ଚମକାଇ ଦେଇଛି। ଆଉ ବିଜେପିର ଏହି ଭିତିରିଆ ରଣନୀତିକୁ ନେଇ ବିଭିନ୍ନ ରାଜ୍ୟର ନେତାଙ୍କ ମନରେ ଛନକା ପଶିଛି ଯେଉଁଠି ଖାସ କରି ବିଜେପି ବିରୋଧୀ ଭୂମିକାରେ ରହିଛି।

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଇ ବିଜେପି ଆଦିବାସୀଙ୍କ ପ୍ରତି ଗୋଟିଏ ବଡ଼ ବାର୍ତ୍ତା ଦେଇଛି। ଯାହା ଗୁଜରାଟ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳତି ହୋଇଥିଲା। ସେହିପରି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ମଧ୍ୟ ନିଜେ ଆଦିବାସୀ ବିଭାଗର ମନ୍ତ୍ରୀ ଅଛନ୍ତି।

ଏହାରି ଭିତରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବେଳେ ଆଦିବାସୀଙ୍କୁ ଆଗକୁ ଆଣି ବିଭିନ୍ନ ପ୍ରଚାର ସହିତ ବୈଠକ କରାଯାଉଛି। ଯାହା ଆଦିବାସୀ ସମାଜକୁ ବିଜେପି ପ୍ରତି ଆକୃଷ୍ଟ କରି ରଖିବାକୁ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିଜେପି ମୁଖ୍ୟାଳୟରେ ଉଦବୋଧନ ପରେ ଆଦିବାସୀଙ୍କ ବିକାଶ କଥା କହି ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି।

ରାଜ୍ୟରେ ବିଜେଡି ମଧ୍ୟ ବିଜେପିର ଏହି ରଣନୀତିରେ ଉପରେ ବେଶ ସତର୍କ ରହିଛି। ତେଣୁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ସୁଦାମ ମାରାଣ୍ଡିଙ୍କୁ ପୁଣିଥରେ ରାଜସ୍ବ ଭଳି ବିଭାଗର ମନ୍ତ୍ରୀ କରାଇ ଆଦିବାସୀ ଅଧ୍ୟୁକ୍ଷିତ ଏରିଆ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛି।

ଛତିଶଗଡ଼ରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓ ପରୋକ୍ଷରେ କହିଛନ୍ତି, କଂଗ୍ରେସର ପରାଜୟ ଆଦିବାସୀ ଭୋଟରଙ୍କ ବିଜେପି ପ୍ରତି ଆନୁଗତ୍ୟ ବଦଳିବାର ପରିଣାମ। ସେ ସ୍ୱୀକାର କରନ୍ତି ଯେ ଆଦିବାସୀମାନେ କଂଗ୍ରେସଠୁ ଦୂରେଇ ଯାଇଛନ୍ତି, କିନ୍ତୁ ଏହା ଯେତିକି ସ୍ପଷ୍ଟ ଦେଖାଯାଉଛି ସେତିକି ସ୍ପଷ୍ଟ ନୁହେଁ।

ସିଂଦେଓ କହିଛନ୍ତି, ମହିଳା ଭୋଟରଙ୍କ ସହ ବିଜେପିର ସଫଳତା ଏବଂ କଂଗ୍ରେସର “ସର୍ବ-ଆଦିବାସୀ ସମାଜ”କୁ କାର୍ଯ୍ୟକାରୀ କରିବାରେ ବିଫଳତାକୁ ମଧ୍ୟ ସେ ପ୍ରକାଶ କରିଛନ୍ତି।

ସେହିପରି ତେନ୍ତୁଳି ପତ୍ରର ଦରଦାମ ଓ ପୋଲିସର ବର୍ବରତା ଭଳି ପ୍ରସଙ୍ଗକୁ ନେଇ ଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଘୋର ଅସନ୍ତୋଷ ବାବଦାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ଦର୍ଷାଉଛି। ୨୦୨୧ ରେ ସୁକମାରେ ଘଟିଥିଲା ଗୁଳିକାଣ୍ଡ। ଯେଉଁଠାରେ ଆଦିବାସୀମାନେ ଉତ୍ତମ ତେନ୍ଦୁପତ୍ର ମୂଲ୍ୟ ପାଇଁ ବିରୋଧ କରୁଥିଲେ ହେଲେ ଗୁଳିକାଣ୍ଡର ଶିକାର ହୋଇଥିଲେ।

ସେହିପରି ନିର୍ବାଚନ ବେଳେ ଝାଡ଼ଖଣ୍ଡରେ ଜନଜାତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶେଷ ମୁହୂର୍ତ୍ତର ୨୪ ହଜାର କୋଟି ଟଙ୍କାର ଯୋଜନା ଘୋଷଣା ଛତିଶଗଡ ଆଦିବାସୀଙ୍କ ଆସ୍ଥା ଜିତିବାରେ ସଫଳ ହୋଇଛି ବୋଲି କୁହାଯାଉଛି।

ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବୈଜୟନ୍ତ ପଣ୍ଡା ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, “ଗତକାଲି ଛତିଶଗଡ଼, ଆସନ୍ତା ବର୍ଷ ଓଡ଼ିଶା ବୋଲି ସେ କହିଛନ୍ତି। ଲୋକଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଦର୍ଶାଇ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି, “କିଛି ବି କାମରେ ଆସିବ ନାହିଁ। ଏପରି କରି ଶାସକ ଦଳର ବାବୁରାଜକୁ କାଉଣ୍ଟର କରିଛନ୍ତି।

ମୋଦୀଙ୍କ ନେତୃତ୍ୱରେ ହୋଇଥିବା ଜାତୀୟ ବିକାଶ ଓ ଆର୍ଥିକ ପ୍ରଗତି ଉପରେ ଆଲୋକପାତ କରି ବୈଜୟନ୍ତ ପଣ୍ଡା ବ୍ୟାପକ ଟିକାକରଣ ଅଭିଯାନ ଓ ଅନ୍ତର୍ଜାତୀୟ ସହାୟତା ପଦକ୍ଷେପକୁ ପ୍ରଶଂସା କରିଥିଲେ। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ନହେବା ସହ ମୋଦୀଙ୍କ ଯୋଜନାର ସିଧାସଳଖ ପହଞ୍ଚିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କେବଳ ବିଜେପି ଡବଲ ଇଞ୍ଜିନ ସରକାର ହିଁ ଓଡିଶାକୁ କେନ୍ଦ୍ରୀୟ ଯୋଜନାର ସମ୍ପୂର୍ଣ୍ଣ ଲାଭ ଦେଇପାରିବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ଦଳୀୟ କର୍ମୀଙ୍କୁ ଏକଜୁଟ୍ କରିବା, ବୁଥ୍ ମଜଭୁତ କରିବା, ଜନସାଧାରଣଙ୍କ ଅସନ୍ତୋଷକୁ ପୁଞ୍ଜି କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

Comments are closed.