ନୂଆଦିଲ୍ଲୀ: ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ସୋମବାର ସଂଧ୍ୟାରୁ କୋଲକାତା ବିମାନ ବନ୍ଦରରୁ କୁଆଡେ ଗଲେ ତାଙ୍କ ସହ ଯୋଗାଯୋଗ ହୋଇପାରୁନି। ଏହା ତାଙ୍କ ପୁଅ ତଥା ଟିଏମସି ନେତା ଶୁଭ୍ରାଂଶୁ ରୟ କହିବା ପରେ କୋଲକାତାରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ମୁକୁଲ ରୟ ଦିଲ୍ଲୀରେ ପହଁଚିଥିବା ସୂଚନା ରହିଛି। ସେ ଯେଉଁ ବିମାନରେ ଦିଲ୍ଲୀ ଆସିଥିଲେ ତାହା ମଧ୍ୟ ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। ବିମାନ ବନ୍ଦରରୁ ଓହ୍ଲାଇ ମୁକୁଲ ରୟ ଯିବାର ଫଟୋ ଓ ଭିଡିଓ ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିନ୍ତୁ ପୁଅ ଶୁଭ୍ରାଂଶୁ ଏଭଳି କାହିଁକି କହିଲେ ବାପା ମୁକୁଲ ରୟ ଦିଲ୍ଲୀ ଆସିବା ପୂର୍ବରୁ? ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ବଢ଼ିଛି।
ମିଳିଥିବା ସୂଚନା ଅନୁସାରେ ମୁକୁଲ ରୟ ଦିଲ୍ଲୀ ଆସିବା ପଛରେ ଗୋଟିଏ ବଡ ରାଜନୀତିର ହଟଚମଟ ହେବାର ଅଛି। ମମତା ବାନାର୍ଜୀଙ୍କ ଦଳର ଏହି ବରିଷ୍ଠ ଟିଏମସି ନେତା ମୁକୁଲ ରୟ ପୁଣି ଥରେ ‘ଖେଲା’ କରିବାକୁ ଯାଉଛନ୍ତି କି? ଏଭଳି ଏକ ଚର୍ଚ୍ଚା ସୋଶିଆଲ ମିଡିଆରେ ତେଜିବାରେ ଲାଗିଛି। ଆଉ ଟ୍ବିଟରରେ #MukulRoy ମଧ୍ୟ ଜୋରଦାର ଟ୍ରେଣ୍ଡ କରୁଛି। ଅନ୍ୟପଟେ ଏପର୍ଯ୍ୟନ୍ତ ହେଉଥିବା ଆଲୋଚନା ସମ୍ପର୍କରେ ମୁକୁଲ ରୟ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି।
ମୁକୁଲ ରୟଙ୍କ ପୁଅ କହିଛନ୍ତି ଯେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ବାପା ବହୁତ ଅସୁସ୍ଥ ହୋଇପଡିଥିଲେ। ଚଳିତ ବର୍ଷ ଫେବୃଆରୀରେ ମୁକୁଲ ରୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।
ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ମୁକୁଲ ରୟ ଟିଏମସି ଛାଡିଥିଲେ। ଏହା’ପରେ ସେ ୨୦୧୭ ରେ ବିଜେପିରେ ଯୋଗ ଦେଇଥିଲେ। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁକୁଲ ରୟଙ୍କୁ ବିଜେପି ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ମଧ୍ୟ ଥିଲେ। ନିର୍ବାଚନରେ ସେ ମଧ୍ୟ ଜିତିଥିଲେ। କିନ୍ତୁ ଅଳ୍ପ ସମୟ ପରେ ମୁକୁଲ ରୟ ପୁଣି ଥରେ ଟିଏମସିରେ ଯୋଗ ଦେଇଥିଲେ। ନାରଦା ଷ୍ଟିଙ୍ଗ ଅପରେସନ ଏବଂ ଚିଟଫଣ୍ଡ ଆଦି ମାମଲାରେ ମୁକୁଲ ରୟଙ୍କ ନାମ ରହିଛି।
ଏବେ ଆଲୋଚନା ହେଉଛି ଯେ ମୁକୁଲ ରୟ ପୁଣି ଥରେ ଏକ ବଡ଼ ରାଜନୈତିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଯେତେବେଳେ କି ପଶ୍ଚିମବଙ୍ଗରେ ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଓ ଟିଏମସି କ୍ଷେତ୍ର ପରିଦର୍ଶନ କରି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ପାଇଁ ତାତି ବଢିଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ଓ କେନ୍ଦ୍ରର ମୋଦୀ ସରକାର ମଧ୍ୟରେ ରାଜନୈତିକ ଉଷ୍ମତା ବଢିବା, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଛାନଭିନ କରୁଥିବା ବେଳେ ମୁକୁଲ ରୟ ପୁଣି ଥରେ ମମତା ବାନାର୍ଜୀଙ୍କ ଦଳ ଛାଡି ପଦ୍ମ ପୋଖରୀରେ ବୁଡ ପକାଇବେ କି? ରାଜନୀତି ଏକ ଅନିଶ୍ଚିତତାର ମୈଦାନ ଏବଂ ଗୋଟିଏ ଦଳରୁ ଅନ୍ୟ ଦଳକୁ ନେତାଙ୍କ ଯିବା ଆସିବା ରହିଛି। ଏଭଳି ପରିସ୍ଥିତିରେ ଯଦି ମୁକୁଲ ପୁଣିଥରେ ବିଜେପିରେ ଯୋଗ ଦିଅନ୍ତି, ତେବେ ଏହା ଆଶ୍ଚର୍ଯ୍ୟର ବିଷୟ ହେବ ନାହିଁ।
Comments are closed.