ମୁମ୍ବାଇ: ୨୦୨୪ ମସିହାରେ ଭୁଲ ଭୁଲୈୟା ୩ ଭଳି ସୁପରହିଟ୍ ଫିଲ୍ମ ଦେବା ପରେ, କାର୍ତ୍ତିକ ଆର୍ଯ୍ୟନ ଏବଂ ତୃପ୍ତି ଡିମ୍ରିଙ୍କ ପ୍ରେମ ଏବେ ‘ଆଶିକୀ-୩’ରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଯୋଡ଼ିର ଯାଦୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ, କିନ୍ତୁ ଏହା ପୂର୍ବରୁ, ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି। ‘ଆଶିକୀ-୩’ରୁ ତୃପ୍ତି ଡିମ୍ରିଙ୍କୁ ହଟାଇ ଦିଆଯାଇଥିବା ଖବର ଆସିଛି।
କାର୍ତ୍ତିକ ଆଗକୁ ଫିଲ୍ମ ‘ଆଶିକୀ-୩’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅନୁରାଗ ବାସୁ । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ କୁହାଯାଉଥିଲା। କିନ୍ତୁ ଏବେ ଫିଲ୍ମର ସୁଟିଂ ତାରିଖ ଘୁଞ୍ଚିଥିବା ନେଇ ଜଣାପଡ଼ିଛି। ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ସ୍ଥିର କରିଥିଲେ। ହେଲେ ଏବେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ନେଇ ଜଣାପଡିଛି।
କୁହାଯାଉଛି କି ଏହି ଚରିତ୍ର ପାଇଁ ସେ ଫିଟ୍ ନୁହନ୍ତି । ଏଥିପାଇଁ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ନେଇ ଜଣାପଡ଼ିଛି। ଏହା ସହ ଏବେ ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ତୃପ୍ତିଙ୍କ ଲୋକପ୍ରିୟତାକୁ ଦେଖି ନିର୍ମାତା ତାଙ୍କୁ ଫିଲ୍ମରେ କାଷ୍ଟ କରିଥିଲେ। କିନ୍ତୁ ଲଗାତାର ତାଙ୍କ ଫିଲ୍ମ ଫ୍ଲପ୍ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେ ନୂଆ ଅଭିନେତ୍ରୀଙ୍କ ସନ୍ଧାନରେ ଅଛନ୍ତି। ଫିଲ୍ମର କାହାଣୀ ବଦଳାଯିବା ସହ ଏକ ନୂଆ ମୁହଁକୁ ନିର୍ମାତା ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି।