Latest Odisha News

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନିଲ ଦଳାଇ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଘରୋଇ ସହାୟିକା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଦେଢ ବର୍ଷ ଧରି ନିର୍ଯାତନାର ଶିକାର ହୋଇଥିଲେ । ସୁବିଧା ଦେଖି ଯୁବତୀ ଜଣକ ରିୟାଙ୍କୁ ଘରୁ ଖସି ଆସି ଥାନାରେ ପହଞ୍ଚିଥିଲେ । ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କ ବୟସ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି ।

ନିର୍ଯାତନା ଦେଉଥିଲେ ରିୟା !

ଦେଢ ବର୍ଷ ଧରି ଅଭିନେତ୍ରୀ ରିୟାଙ୍କ ଘରେ ଯୁବତୀ ଜଣକ କାମ କରୁଥିଲେ । ମାସିକ ୮ହଜାର ଟଙ୍କା ଦେବାକୁ କହି ରିୟା ତାଙ୍କୁ ଘରୋଇ ସହାୟିକା ଭାବେ ରଖିଥିଲେ । ହେଲେ ଥରେ ମାତ୍ର ୧୦ହଜାର ଟଙ୍କା ଦେଇଥିବା ବେଳେ ବାକି ପାରିଶ୍ରମିକ ଦେଇନଥିବା ଯୁବତୀ ଅଭିଯୋଗ କରିଛନ୍ତି । ଘର କାମ ସାଙ୍ଗକୁ ତାଙ୍କୁ ସୁଟିଂ ସେଟ୍, ମଞ୍ଚକୁ ବି ସାଙ୍ଗରେ ନେଉଥିଲେ ରିୟା। କିଛି ଭୁଲ୍ କଲେ ଗାଳିମନ୍ଦ ସାଙ୍ଗକୁ ମାଡ ବି ମାରୁଥିଲେ । ଏପରିକି ରିୟା ଓ ସୁନିଲ ଘରୁ ବାହାରକୁ ଗଲେ ଯୁବତୀଙ୍କୁ ବାହାରୁ ତାଲା ପକାଇ ଯାଉଥିବା ସେ ଅଭିଯୋଗ କରିଛନ୍ତି ।

ବିୟର ବୋତଲରେ ବାଡେଇଲେ !

ଅଭିନେତ୍ରୀ ରିୟା ସିଗାରେଟ୍ ଟାଣନ୍ତି । ସିଗାରେଟ୍ ଆଣିବାକୁ ଯୁବତୀଙ୍କୁ ଅନେକ ଥର ଦୋକାନକୁ ପଠାଇଥିବା ସେ ଅଭିଯୋଗ କରିଛନ୍ତି । ସୁନିଲ ଓ ରିୟା ମଦ ପିଇ ତାଙ୍କୁ ଗାଳିମନ୍ଦ ଓ ପିଟାମରା କରନ୍ତି। ଧମକ ଚମକ ବି ଦେଉଥିଲେ ବୋଲି ଯୁବତୀ ଜଣକ କହିଛନ୍ତି । ଥରେ ବୁଲି ଯିବାକୁ ବାହାରିବା ବେଳେ ମୋବାଇଲରେ ଫଟୋ ଦେଖାଇ ଡ୍ରେସ କାଢିବାକୁ କହିଥିଲେ ସୁନିଲ । ଡ୍ରେସ ନପାଇବାରୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ଡ୍ରେସ ନେଇ କାହାକୁ ଦେଇଥିବା ବି କହିଲେ । ରିୟା କାନ ଧରି ବସଉଠ୍ କରାଇଥିଲେ ତ ସୁନିଲ ବିୟର ବୋତଲରେ ମାଡ ମାରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ମାଡ ଯୋଗୁଁ ତାଙ୍କ ଗୋଡ ଫୁଲିଥିବାରୁ ସେ ଚାଲି ପାରୁନାହାନ୍ତି।

ଜୀବନ ବିକଳରେ ଖସି ଆସିଲେ !
ରିୟା ଓ ସୁନିଲ ଘରେ ନଥିବା ବେଳେ ମଉକା ଦେଖି ଝରକା ଡେଇଁ ଯୁବତୀ ଜଣକ ଖସି ଆସିଥିଲେ । ବସରେ ଭୁବନେଶ୍ବର ଆସି ଚନ୍ଦ୍ରଶେଖରପୁରରେ ରହୁଥିବା ଜଣେ ସଂପର୍କୀୟାଙ୍କ ଘରକୁ ଆସିଥିଲେ । ତେବେ ସଂପର୍କୀୟା ଘରେ ନଥିବାରୁ ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିୟା ଓ ସୁନିଲଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପରେ କଟକ ବିଡାନାସୀ ଥାନାକୁ ମାମଲା ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କ ଆଧାରକାର୍ଡ, ମୋବାଇଲ୍ ଫୋନ୍, ଡ୍ରେସ ରିୟାଙ୍କ ପାଖରେ ରହିଛି । ଦେଢ ବର୍ଷ ଧରି ତାଙ୍କ ପାରିଶ୍ରମିକ ଦେବା ସହ ରିୟା ଓ ତାଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଯୁବତୀ ଜଣକ ସମ୍ବଲପୁର ନାକଟିଦେଉଳ ଅଞ୍ଚଳର ବୋଲି ଜଣାପଡିଛି। ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ସେ ରିୟାଙ୍କ ଘରେ କାମ କରୁଥିଲେ । ତେବେ ପୂରା ଘଟଣା ନେଇ ରିୟା ଦେ କିମ୍ବା ତାଙ୍କ ସ୍ବାମୀ ସୁନିଲ ଦଳାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.