ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାରେ ଗୋଟେ ପରେ ଗୋଟେ ଅଘଟଣ ଚିନ୍ତା ବଢାଇଛି । ବିଧି ରକ୍ଷା ପାଇଁ ମାତ୍ର କେଇ ହାତ ନନ୍ଦିଘୋଷ ରଥ ଟଣାଗଲା ତ ଶରଧାବାଲିରେ ଦଳାଚକଟାରେ ଭକ୍ତଙ୍କ ଜୀବନ ଗଲା । ରଥଯାତ୍ରା ପରିଚାଳନାରେ ସରକାର ସଂପୂର୍ଣ୍ଣ ଫେଲ୍ ମାରିଥିବା ବିରୋଧୀ କହୁଥିବା ବେଳେ ସରକାରଙ୍କ ବେଖାତିର ଓ ସମ୍ବେଦନହୀନ ମନୋଭାବକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦଳାଚକଟା ଘଟଣା ପରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, ରଥଯାତ୍ରାରେ ସୀମା ବାହାରେ ଅବ୍ୟବସ୍ଥା ପାଇଁ କେବଳ ଅଧିକାରୀ ଦାୟୀ କି? କାହିଁକି ଉତ୍ତରଦାୟୀ ହେବେନି ମନ୍ତ୍ରୀ? ଚର୍ଚ୍ଚା ହେଉଛି, ରଥଯାତ୍ରା ଅଘଟଣ ଆଇନ ମନ୍ତ୍ରୀଙ୍କ ଅଡୁଆ ବଢାଇପାରେ ।
ରଥଯାତ୍ରା ଅବ୍ୟବସ୍ଥା ଦାୟୀ କିଏ?
ଐତିହାସିକ ଓ ଅବିସ୍ମରଣୀୟ ରଥଯାତ୍ରା ନେଇ କହୁଥିଲେ ରାଜ୍ୟ ସରକାର । ହେଲେ ଚଳିତ ରଥଯାତ୍ରାରେ ଐତିହାସିକ ଅବ୍ୟବସ୍ଥା ସାମନାକୁ ଆସିଛି । ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ବୟର ଅଭାବ ଯୋଗୁଁ ଏତେବଡ଼ ଘଟଣା ଘଟିଲା । ଜଗା ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ଶବ ହୋଇ ଫେରିଲେ । ତେବେ ସବୁଠୁ ବଡ଼ ପ୍ରଶ୍ନ, ଏଥିପାଇଁ ଦାୟୀ କିଏ? ସରକାରଙ୍କ ଅବହେଳା ଓ ଦାୟିତ୍ବହୀନତାକୁ ନିଶାନା କରିଥିବା ବିରୋଧୀଙ୍କ ଟାର୍ଗେଟରେ ସବୁଠୁ ଆଗରେ ରହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଚର୍ଚ୍ଚା ହେଉଛି, ରଥଯାତ୍ରା ଅବ୍ୟବସ୍ଥା ନେଇ ଆଇନ ମନ୍ତ୍ରୀଙ୍କ ଅଡୁଆ ବଢିପାରେ । ଏପରିକି ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସାରା ଦେଇ ସାରିଥିବା ବି କୁହାଯାଉଛି । ଏବେ ନହେଲେ ବି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବଡ଼ ନିଷ୍ପତ୍ତି ନିଆ ଯାଇପାରେ ।
କାହିଁକି ବଢିପାରେ ଆଇନ ମନ୍ତ୍ରୀଙ୍କ ଅଡୁଆ?
ରଥଯାତ୍ରା ଅବ୍ୟବସ୍ଥାକୁ ନେଇ ସାରା ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି । ରଥଯାତ୍ରା ଦିନ ନନ୍ଦିଘୋଷ ରଥ ମାତ୍ର ଚକେ ଗଡିଥିଲା ତ ଶରଧାବାଲି ଦଳାଚକଟାରେ ୩ଜଣଙ୍କ ଜୀବନ ଗଲା । ଏହାପୂର୍ବରୁ ମହାପ୍ରଭୁ ସୁସ୍ଥ ହେବା ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ମାରା ମୋଦକ ଶ୍ରୀଜିଉଙ୍କୁ ଲାଗି ହୋଇଥିବା କୁହାଗଲା। ମହାପ୍ରଭୁଙ୍କ ମୋଦକ ଚୋରି ହେବା ଘଟଣା ନେଇ ବି ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରଦ୍ଧାଳୁ । ଗତବର୍ଷ ରଥରୁ ବଡ଼ଠାକୁର ଖସିପଡିବା ଘଟଣାରେ ବି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନହେବା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗ ଅଧୀନରେ ଆସୁଥିବାରୁ ସମସ୍ତ ଅବ୍ୟବସ୍ଥାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାୟୀ କରାଉଛନ୍ତି ବିରୋଧୀ ।
ଦାୟୀ ହେବେ କି ମନ୍ତ୍ରୀ?
ରଥଯାତ୍ରା ଦିନ ମହାବିଭ୍ରାଟ ସାମନାକୁ ଆସିଥିଲା । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଯାଇପାରିଲାନି । ବିଧି ରକ୍ଷା ପାଇଁ ମାତ୍ର କେଇ ହାତ ଟଣା ଯାଇଥିଲା କାଳିଆ ସାଆନ୍ତଙ୍କ ରଥ । ରଥ ଚାରିପଟେ କର୍ଡନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସଧାରୀଙ୍କ ଭିଡ଼ ଯୋଗୁଁ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଥିଲା । ଚର୍ଚ୍ଚା ହେଲା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍ ବାଣ୍ଟିବାରୁ ଅବ୍ୟବସ୍ଥା ଦେଖା ଦେଇଥିଲା । କେବଳ ଏହି ଦୁଇ ମନ୍ତ୍ରୀ ପ୍ରାୟ ୬ରୁ ୭ହଜାର ପାସ୍ ବାଣ୍ଟିଥିବା ବେଳେ ଅନ୍ୟମାନେ ୪ରୁ ୫ହଜାର ପାସ୍ ବାଣ୍ଟିଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ଶରଧାବାଲି ଦଳାଚକଟା ଘଟଣା ପାଇଁ ବି ଭିଆଇପି ବ୍ୟାରିକେଡକୁ କାରଣ କୁହାଯାଉଛି ।
ଶରଧାବାଲି ଦଳାଚକଟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗନ୍ନାଥପ୍ରେମୀଙ୍କୁ କ୍ଷମା ମାଗିଛନ୍ତି । ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଦର୍ଶନ ବ୍ୟଗ୍ରତା ଓ ଭିଡ଼ ଯୋଗୁଁ ଅଘଟଣ ଘଟିଥିବା କୁହାଯାଉଛି । ତେବେ ଏତିକିରେ ଶ୍ରଦ୍ଧାଳୁଙ୍କ ଆକ୍ରୋଶ କମିବନି । ପରିଚାଳନାଗତ ବିଭ୍ରାଟ, ସରକାରଙ୍କ ହେୟଜ୍ଞାନ ମନୋବୃତ୍ତିକୁ ବିରୋଧୀ ସିଧାସଳଖ ଦାୟୀ କରୁଥିବା ବେଳେ ନିଜ ଉପରୁ ସରକାର ଦୋଷ ଝାଡ଼ି ପାରିବେନି । କାହିଁକି ରଥଯାତ୍ରା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଅଘଟଣ ପାଇଁ ଉତ୍ତରଦାୟୀ ହେବନି? କାହିଁକି ଆଇନ ମନ୍ତ୍ରୀ ଓ ପ୍ରଶାସକଙ୍କ ବିରୋଧରେ ଆକ୍ସନ୍ ହେବନି? ଏଭଳି ପ୍ରଶ୍ନରେ ସରକାରଙ୍କୁ ଘେରିଲେଣି ଲୋକେ ।
Comments are closed.