Latest Odisha News

BREAKING NEWS

ଦୁର୍ଘଟଣାରେ ଚାଲିଗଲା ୩ଜୀବନ; ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: କାମାକ୍ଷାନଗର ରେକୁଳା ଗାଁରେ ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାନୁସାରେ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ରାସ୍ତାରେ ପିଚୁକାମ କରାଯାଉଥିଲା । ଏହି ସମୟରେ ତିନି ଜଣ ଶ୍ରମିକଙ୍କୁ ଧକ୍କା ଦେଇଥିଲା ଡମ୍ପର । ଫଳରେ ଶ୍ରମିକମାନେ ଡମ୍ଫର ସହ ଧକ୍କା ହୋଇ ନିକଟରେ ଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଠିକା ସଂସ୍ଥାର ଅବହେଳାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଥିଲା ।

ସେହିପରି କାମାକ୍ଷାନଗର ବିଧାୟକ, ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଥିବା ମୃତ କ୍ଷୀରୋଦ ସାହୁଙ୍କ ପରିବାର ଜଣଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଛନ୍ତି ।

 

 

Leave A Reply

Your email address will not be published.